ମୁଖ୍ୟ ଖବର

ସୁଧ ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ଘରେ ବାନ୍ଧି ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ କୋର୍ଟଚାଲାଣ କଲା ବଅଁରପାଳ ପୋଲିସ

By Angul TV Bureau

December 20, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପଞ୍ଚାୟତର ଜଣେ ଯୁବକଙ୍କୁ ଘର ଭିତରେ ବାନ୍ଧି ଆକ୍ରମଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ। ଆକ୍ରମଣ ଶିକାର ହୋଇଥିବା ଯୁବକ ହେଲେ ବାବୁଲି ବେହେରାଙ୍କ ପୁଅ ରାହୁଲ ବେହେରା।

ପୋଲିସ ସୂଚନା ମୁତାବକ, ଗୁରୁବାର ରାତିରେ ପୋଲିସ କଣ୍ଟ୍ରୋଲରୁ ବଅଁରପାଳ ଥାନାକୁ ସୂଚନା ଆସିଥିଲା କି ତଳମୂଳ ନଡ଼ିଆ ସାହିରେ ଜଣେ ଯୁବକକୁ ଘରେ ବାନ୍ଧି ଆକ୍ରମଣ କରାଯାଉଛି। ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ ସହ ଦଳବଳ ଗ୍ରାମରେ ପହଞ୍ଚି ଯୁବକକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ କବାଟ ଭାଙ୍ଗି ପୋଲିସ ଯୁବକକୁ ଉଦ୍ଧାର କରିଥିଲା। ଯୁବକଙ୍କୁ ଉଦ୍ଧାର ସମୟରେ ପୋଲିସ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ସେ ମଧ୍ୟରୁ ପରିବାରର ସଲିଲ ସାହୁ ଓ ମଳୟ ସାହୁକୁ ଗିରଫ କରାଯାଇଛି ଓ ଅନ୍ୟମାନେ ଫେରାର ହୋଇଯାଇଛନ୍ତି। ଉଦ୍ଧା ଯୁବକଙ୍କ ହାତ ଭାଙ୍ଗିବା ସହ ଛାତିରେ ଗଭୀର ଆଘାତ ଲାଗିଛି।

ସୂଚନା ମୁତାବକ, ସଲିଳଙ୍କ ପରିବାର ଠାରୁ ରାହୁଲ ବେହେରା ପୂର୍ବରୁ କିଛି ଟଙ୍କା ୧୦ ପ୍ରତିଶତରେ ସୁଧ ନେଇଥିଲେ। ଏହି ଟଙ୍କା ନ ଫେରାଇବାରୁ ତାଙ୍କୁ ଆକ୍ରମଣ କରାଯାଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।