ଅନ୍ୟାନ୍ୟ

ଭକ୍ତିମୟ ପରିବେଶରେ ମା’ ଧନଲକ୍ଷ୍ମୀଙ୍କୁ ବିଦାୟ, ବିଭିନ୍ନ ସାଂସ୍କୃତିକ ଦଳର ଆକର୍ଷଣୀୟ ପ୍ରଦର୍ଶନ

By Angul TV Bureau

November 03, 2026

ଅନୁଗୋଳ: ବାଜା, ଢୋଲ, ନିଶାଣ ଓ ବିଭିନ୍ନ ସାଂସ୍କୃତିକ ଦଳର ଆକର୍ଷଣୀୟ ପ୍ରଦର୍ଶନ ମଧ୍ୟରେ ଅନୁଗୋଳ ଜିଲ୍ଲା ବଅଁରପାଳରୁ ବିଦାୟ ନେଇଛନ୍ତି ମା’ ଧନଲକ୍ଷ୍ମୀ। ଦୀର୍ଘଦିନ ଧରି ଚାଲିଥିବା ବାର୍ଷିକ ପୂଜା ଓ ଉତ୍ସବର ଅନ୍ତିମ ପର୍ବ ବିସର୍ଜନ ଉତ୍ସବ ସୋମବାର ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି।

ଏହି ଅବସରରେ ବଅଁରପାଳ ବଜାରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଅପରାହ୍ନ ପ୍ରାୟ ୧ଟା ସୁଦ୍ଧା ସ୍ଥାନୀୟ ଯାତ୍ରା ପଡ଼ିଆରେ ଏକାଠି ହୋଇଥିଲେ। ସେଠାରୁ ମେଲଣ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ମେଲଣ ପଡ଼ିଆରେ ବିଭିନ୍ନ କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା।

ପରେ ସୁସଜ୍ଜିତ ମେଢ଼ଗୁଡ଼ିକ ଶୋଭାଯାତ୍ରାରେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ସନ୍ତ୍ରୀ ଛକ ଅଭିମୁଖେ ଯାଇଥିଲା। ବାଣ, ବ୍ୟାଣ୍ଡପାର୍ଟି, ଢୋଲ, ନିଶାଣ, ଦଣ୍ଡନାଚ ଓ ରେକର୍ଡ ଡ୍ୟାନ୍ସ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲା। ଗଣେଶ ବଜାରର ସରକାର ଅନୁଷ୍ଠାନ ପକ୍ଷରୁ ପ୍ରଦର୍ଶିତ ଅଘୋରୀ ନୃତ୍ୟ ଦେଖିବାକୁ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ପୂଜା କମିଟି ନିଜ ନିଜ ନିର୍ଦ୍ଧାରିତ ଜଳାଶୟରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରିଥିଲେ।

ଏହି ସମୟରେ ଯାତ୍ରା ପଡ଼ିଆଠାରୁ ସନ୍ତ୍ରୀ ଛକ ପର୍ଯ୍ୟନ୍ତ ପ୍ରବଳ ଜନସମାଗମ ହୋଇଥିଲା। କୁଲାଡ଼ ଗ୍ରାମରେ ମଧ୍ୟ ବିସର୍ଜନ କାର୍ଯ୍ୟକ୍ରମ ଥିବାରୁ ଜାତୀୟ ରାଜପଥରେ କିଛି ସମୟ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ନାଲକୋ ଓ ବଅଁରପାଳ ପୁଲିସର ସମନ୍ୱୟରେ ଯାତାୟାତ ସ୍ୱାଭାବିକ କରାଯାଇଥିଲା।

ଶାନ୍ତିଶୃଙ୍ଖଳାର ସହ ପୂଜା ଓ ବିସର୍ଜନ ଶେଷ ହୋଇଥିବାରୁ ବଣିକ ମହାସଂଘର ସଭାପତି ଉପେନ୍ଦ୍ର ସାହୁ, ସମ୍ପାଦକ ଅଖିଳ କୁମାର ମହାପାତ୍ର, ଉପଦେଷ୍ଟା ଖଗେଶ୍ୱର ପରିଡ଼ା ଓ କୋଷାଧ୍ୟକ୍ଷ ବିଜୟ କୁମାର ସାମଲ ପ୍ରଶାସନ, ପୁଲିସ ଓ ସମସ୍ତ ପୂଜା କମିଟିକୁ ଧନ୍ୟବାଦ ଜଣାଇଛନ୍ତି।