ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ର ଗଡ଼ସନ୍ତ୍ରୀ ପୀଠସାହି ଯାତ୍ରାପଡିଆରେ ଗଡ଼ସନ୍ତ୍ରୀ ଓ ତୁଳସୀପାଳ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଲୋଭୀଙ୍କ ବାର୍ଷିକ ଯାତ୍ରା ମହାସମାରୋହରେ ଆରମ୍ଭ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି।
ପ୍ରତ୍ୟୁଷରେ ଦେହୁରୀ ରଞ୍ଜନ କୁମାର ଗଡ଼ନାୟକ ତୁଳସୀପାଳ ଆଲମଘରେ ପୂଜା ସାରି ମା’ଙ୍କୁ ବିରାଟ ଶୋଭାଯାତ୍ରାରେ ଯାତ୍ରାପଡିଆକୁ ନିଆଯାଇଛି। ଶହେ ଛତି, ଡିଜେ, ଢୋଲ-ନିଶାଣ, ସିଂଘବାଦ୍ୟ, ଧାଙ୍ଗଡ଼ା, ଲଉଡ଼ି-ପାଇକ ଖେଳ ଓ ହରିବୋଲରେ ଦୁଇ ଗ୍ରାମ ପ୍ରକମ୍ପିତ ହୋଇଥିଲା। ପଥେ ମହିଳାମାନେ ଘଟ ବନ୍ଦାପନା କରିଛନ୍ତି।
ପୀଠରେ ପହଞ୍ଚି ମାର୍ଜନା, ଔପଚାରିକ ପୂଜା ଓ ଗୁପ୍ତପୂଜା ସମ୍ପନ୍ନ। ଅଧିଆ ପଡ଼ିଥିବା ଶତାଧିକ ମାନସିକଧାରୀ ପାଦୁକା ପାଇ ମାନସିକ ଭାଙ୍ଗିଛନ୍ତି; ଶତାଧିକ ଶିଶୁ ମୁଣ୍ଡନ କରିଛନ୍ତି।ଯାତ୍ରାପଡିଆରେ ୧୦୦୦ରୁ ଅଧିକ ଦୋକାନ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିବ। ଭିଡ଼ ଦୃଷ୍ଟିରେ ଏଏସପି ରାଜୀବ ଲୋଚନ ପଣ୍ଡା ଓ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ନେତୃତ୍ୱରେ ୩ ଡିଏସପି, ୭ ଇନ୍ସ୍ପେକ୍ଟର, ୫ ପ୍ଲାଟୁନ ଫୋର୍ସ ଓ ଅସ୍ଥାୟୀ ପୋଲିସ ଶିବିର। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି।ସ୍ୱେଚ୍ଛାସେବୀମାନେ ପାନୀୟ ଜଳ ଓ ଦହି ସରବତ ବଣ୍ଟନ କରୁଛନ୍ତି।
ଟ୍ରଷ୍ଟ ସଭାପତି ସୁନୀଳ କୁମାର ମାଝୀ, ସମ୍ପାଦକ ଭଜମନ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି। ଆଗାମୀ ଦିନମାନଙ୍କରେ ଭକ୍ତ ଓ ବେପାର ଆହୁରି ବଢ଼ିବ ବୋଲି ଆଶା।