କଳା ଓ ସଂସ୍କୃତି

ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ଆୟୋଜିତ, ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କଲେ ଦେବୀ

By Angul TV Bureau

February 14, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଙ୍ଗଳା ସାହିରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ବାର୍ଷିକ ପୂଜା ମହାସମାରୋହରେ ଆୟୋଜିତ ହୋଇଛି।ପ୍ରତିବର୍ଷ ମାଘ ପୂର୍ଣ୍ଣିମା ଦିନ ମା’ ଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଭୋରରୁ ଦେହୁରୀ ଆଲମ ଘରେ ମା’ଙ୍କ ନୀତିକାନ୍ତି, ନୂତନ ବସ୍ତ୍ର ପରିଧାନ ଓ ପୂଜାର୍ଚ୍ଚନା କରିଥିଲେ। ପରେ ଗ୍ରାମବାସୀ ମା’ଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ପୀଠସ୍ଥଳକୁ ନେଇଥିଲେ। ଶୋଭାଯାତ୍ରାରେ ଛତି, ତରାଶ, ଢୋଲ, ନିଶାଣ, ଆତସବାଜୀ ଓ ଭକ୍ତଙ୍କ ହରିବୋଲ ହୁଳହୁଳିର ଶବ୍ଦରେ ଗ୍ରାମ ପ୍ରକମ୍ପିତ ହୋଇ ଉଠିଥିଲା। ପୀଠସ୍ଥଳୀରେ ପହଞ୍ଚିବା ପରେ ମାଜଣା କରାଯାଇ ମା’ଙ୍କ ଯଥା ରୀତି ପୂଜାର୍ଚ୍ଚନା କରାଯାଇଥିଲା। ଏ ଅବସରରେ ଅଧିଆ ପଡ଼ିଥିବା ମାନସିକ ଧାରୀମାନେ ପାଦୁକା ପାଇ ମାନସିକ ଭଙ୍ଗ କରିଥିଲେ।ଏ ଅବସରରେ ଯାତ୍ରା ପଡିଆରେ ବ୍ୟବସାୟୀ ମାନେ ନିଜ ପସରା ମେଲାଇ କିଣାବିକା କରିଥିଲେ। ମା’ଙ୍କ ଦର୍ଶନ ପାଇଁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା।