ମୁଖ୍ୟ ଖବର

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ: ଅନୁଗୁଳରୁ ଶତାଧିକ ଫେରିବାଲା ଏବଂ ନିର୍ମାଣ ଶ୍ରମିକ ରାତାରାତି ଛୁ’

By Angul TV Bureau

August 14, 2024

ଅନୁଗୁଳ : ବାଂଲାଦେଶରେ ସରକାର ଭୁଶୁଡ଼ିବା ପରେ ସେଠାକାର ସ୍ଥିତି ବେହାଲ ହୋଇଛି। ସେଠାକାର ଲୋକେ ଜୀବନ ବଞ୍ଚାଇ ଅନ୍ୟ ଦେଶରେ ଆଶ୍ରୟ ନେଉଛନ୍ତି। କିଛି ବାଂଲାଦେଶୀ ଭାରତ ତଥା ଓଡ଼ିଶାରେ ବି ବହୁ ଆଗରୁ ଆଶ୍ରୟ ନେଉଛନ୍ତି। ଏବେ ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ପରେ ଆଶ୍ରୟ ନେଇଥିବା ଅନୁପ୍ରବେଶକାରୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଅନୁଗୁଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଅନୁଗୁଳ ଜିଲ୍ଲାରୁ ଶତାଧିକ ଫେରିବାଲା ଏବଂ ଗୃହ ନିର୍ମାଣ ଶ୍ରମିକ ରାତାରାତି ପଳାୟନ କରିଛନ୍ତି। ସେମାନଙ୍କ ପାଖରେ ଆଧାର କାର୍ଡ କିମ୍ବା ଅନ୍ୟ କୌଣସି ପ୍ରମାଣ ପତ୍ର ନଥିବାରୁ ସେମାନେ ଜିଲ୍ଲା ଛାଡ଼ି ଛୁ’ ମାରିଛନ୍ତି। ଅନୁଗୁଳ ସହରର ହେମସୁରପଡା, ରାଜକିଶୋରପଡା, ରାଧାରମଣପଡା ଅଞ୍ଚଳରୁ ବହୁ ସଂଖ୍ୟାରେ ବାହାର ଲୋକ ଭୟରେ ପଳିଯାଇଛନ୍ତି। ଏହି ଲୋକଙ୍କ ଉପରେ ଆକ୍ରମଣ ହେବା ଜାଣିବା ପରେ ସେମାନେ ପଳାୟନ କରିଛନ୍ତି।

ତେବେ ରାଜ୍ୟରେ ବାଂଲାଦେଶୀ ରୋହିଙ୍ଗିଆଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅନୁଗୁଳରେ ମଧ୍ୟ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଉପରେ ରୋକ ଲାଗୁନି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନି। ଏହି ଲୋକମାନେ ଧୀରେ ଧୀରେ ସରକାରୀ ଜାଗାରେ ରହିବା ଆରମ୍ଭ କରିଛନ୍ତି। ଫଳରେ ଅନୁଗୁଳ ଜିଲ୍ଲାର ଶ୍ରମିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏପରି ଲୋକଙ୍କୁ ଚିହ୍ନଟ କରିବା ଦରକାର ବୋଲି ସ୍ଥାନୀୟ ଲୋକେ ମତ ବ୍ୟକ୍ତ କରିଛନ୍ତି।