ମୁଖ୍ୟ ଖବର

ଗଡ଼ତରାସରେ କୃତ୍ରିମ ବନ୍ୟା: ଜଳବନ୍ଦୀରେ ୧୦ ପରିବାର, ଯାତାୟାତ ବାଧାପ୍ରାପ୍ତ

By Angul TV Bureau

July 26, 2025

ଅନୁଗୁଳ: ଅନୁଗୁଳ ବ୍ଲକ ଗଡ଼ତରାସ ପଞ୍ଚାୟତ ଗଡ଼ତରାସ ପାଟଣାସାହିରେ ବର୍ଷା ଯୋଗୁଁ ୧୦ ପରିବାର ଜଳବନ୍ଦୀ ହୋଇରହିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ସୁମନ୍ତ ମାଝୀଙ୍କ ଘର ଭିତରେ ପାଣି ପଶି ଯାଇଥିବାରୁ ୨ଦିନ ହେବ ରୋଷେଇ କରି ନଥିବା ଅଭିଯୋଗ କରିଛନ୍ତି।

ଜଳବନ୍ଦୀ ଥିବା ସନ୍ତୋଷ ମାଝୀ, ଯୋଗେନ୍ଦ୍ର ସାମଲ,ଛବି ସାମଲ, ସୁଶୀଳ ମାଝୀ, ସୁଧୀର ମାଝୀ, ସୁରେଶ ମାଝୀ କହିଛନ୍ତି, ଗାଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଥିଲା ବେଳେ ଠିକାଦାର ରାସ୍ତା ମାପନ କରି ମନଇଚ୍ଛା କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ରାସ୍ତା ତିଆରି ପରେ ଡ୍ରେନ ପାଇଁ ଜାଗା ନଥିବାରୁ ବର୍ଷା ଜଳ ସାହି ଭିତରେ ପଶିଛି ଆଉ ନିଷ୍କାସନ ହୋଇନପାରି ଆଣ୍ଠୁଏ ପାଣି ଜମା ହୋଇରହିଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏନେଇ ସାହି ବାସିନ୍ଦା ଠିକାଦାରଙ୍କୁ କହିବାରୁ ସେ କହିଛନ୍ତି, ବର୍ଷା ଛାଡ଼ିଲା ପରେ ଡ୍ରେନ ନିର୍ମାଣ କରିବେ। ତେବେ ରାସ୍ତାକଡ଼ରେ ଆଉ ଜାଗା ନଥିବାରୁ ଡ୍ରେନ କିପରି ନିର୍ମାଣ ହେବ ସେ ନେଇ ଚିନ୍ତାରେ ସାହି ବାସିନ୍ଦା ଅଛନ୍ତି। ଡ୍ରେନ ନିର୍ମାଣ କାର୍ଯ୍ୟରେ ବିଳମ୍ବ କଲେ, ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ପୂର୍ବତନ ଜିଲ୍ଲାପରିଷଦ ଭାଗୀରଥି ମାଝୀ ଚେତାବନୀ ଦେଇଛନ୍ତି।