ଅନ୍ୟାନ୍ୟ

ସାର୍ଥକ ହେବ ଚାଷୀଙ୍କ ବଳିଦାନ: ହିଡ଼ିସିଙ୍ଗ ପ୍ରୋଜେକ୍ଟ ପାଇଁ ଜଙ୍ଗଲ ଜମି ଅନୁମୋଦନ, ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

By Angul TV Bureau

February 09, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବହୁ ପ୍ରତୀକ୍ଷିତ ହିଡ଼ିସିଙ୍ଗ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିବା ପରେ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ବନ୍ତଳା ଶ୍ରୀରାମ ମନ୍ଦିର ପରିସରରେ ହିଡ଼ିସିଙ୍ଗ ପ୍ରୋଜେକ୍ଟ କୃଷକ ମହାସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଭାପତି ଦିନେଶ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଜଙ୍ଗଲ ଜମି ଅନୁମୋଦନ ଚିଠିରେ ଥିବା ୭ଟି ପ୍ରମୁଖ ବିନ୍ଦୁ ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଏହି ନିୟମ ଅନୁଯାୟୀ, ବନୀକରଣ ପାଇଁ ଚିହ୍ନଟ ହୋଇଥିବା ଢେଙ୍କାନାଳ ଓ ଦେବଗଡ଼ ବନଖଣ୍ଡର ଜମିରୁ ଜବରଦଖଲ ଉଚ୍ଛେଦ ଏବଂ ଡ୍ୟାମ ନିର୍ମାଣ ସମୟରେ ଜଳର ପୁନଃ-ଡାଇଭର୍ସନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରକଳ୍ପ ନିର୍ମାଣ, କେନାଲ କାର୍ଯ୍ୟ ଏବଂ ବିସ୍ଥାପିତଙ୍କ ଥଇଥାନ ଦାୟିତ୍ୱ ସରକାର ବହନ କରିବେ ବୋଲି ସୂଚନା ଦିଆଯାଇଛି। ଆଗାମୀ ଦିନରେ ହେବାକୁ ଥିବା ପରିବେଶ ମଞ୍ଜୁରୀ ଓ ଜନ ଶୁଣାଣି ପାଇଁ ହିଡ଼ିସିଙ୍ଗ ଓ ଡିମିରିପାଳର ଚାଷୀମାନେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଅବସରରେ ପ୍ରକଳ୍ପ ପାଇଁ ଆନ୍ଦୋଳନ କରି ପ୍ରାଣବଳି ଦେଇଥିବା ଅଞ୍ଚଳର ସହିଦ ଚାଷୀମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇ ପ୍ରକଳ୍ପ ସ୍ଥଳରେ ଏକ ସ୍ମୃତି ଫଳକ ନିର୍ମାଣ ପାଇଁ ମହାସଙ୍ଘ ନିଷ୍ପତ୍ତି ନେଇଛି। ଶେଷରେ, ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥାନୀୟ ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାକୁ ସ୍ଥିର ହୋଇଛି। ବୈଠକରେ ସମ୍ପାଦକ ଜିତେନ୍ଦ୍ର ଦେହୁରୀ, ଇଂ ତ୍ରିନାଥ ସାହୁଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।