ଅନୁଗୁଳ: ଅନୁଗୁଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅବ୍ୟବସ୍ଥାକୁ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସଂଘର ଏକ ଜରୁରୀ ବୈଠକ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯୋଗ ଦେଇଥିବା କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନେ ପ୍ରକାଶ କରିଥିଲେ ଯେ, ରାଜ୍ୟର ସର୍ବାଧିକ ରାଜସ୍ଵ ଦେଉଥିବା ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଅଟେ । ତେବେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥ ଦୀର୍ଘ ଦିନ ହେଲା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଗାଡ଼ି ମୋଟର ଯିବାତ ଦୁରର କଥା ସାଧାରଣ ଲୋକଟେ ଚାଲିକି ଯିବା ସମ୍ଭବ ହେଉନାହିଁ। ଏ ଭଳି ପରିସ୍ଥିତିରେ ଏହାର ମରାମତି ବା ସ୍ଥତିରେ ସୁଧାର ଆଣିବାକୁ ନେତା, ପ୍ରଶାସନ କେହି ଦୃଷ୍ଟି ଦେଉନଥିବାରୁ ବାଧ୍ୟ ହୋଇ ଓକିଲ ସଂଘ ଆସନ୍ତା ୨୪ ତାରିଖରେ ସକାଳ ୬ଟା ରୁ ୧୨ଟା ପର୍ଯ୍ୟନ୍ତ ରାସ୍ତାରେକ କରିବ ବୋଲି ନିଷ୍ପତ୍ତି ନେଇଛି। ସଂଘ ତରଫରୁ ଜିଲ୍ଲାର ସମସ୍ତ ସଙ୍ଗଠନ, ସାମାଜିକ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ଓ ରାଜ ନେତାମାନେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ୨୫ ତାରିଖରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯିବ ବୋଲି ଏକ ପ୍ରେସ ବିବୃତିରେ ସଂଘ ସମ୍ପାଦକ ଧୃବ ଚରଣ ସାହୁ ପ୍ରକାଶ କରିଛନ୍ତି।