ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଲଗାଣ ବର୍ଷା ଓ ବନ୍ୟାଜଳର ପ୍ରଖର ସ୍ରୋତ ବାଗଡ଼ିଆ-ସରପାଳ ରାସ୍ତାରେ ବ୍ଯାପକ କ୍ଷତି ଘଟାଇଛି। ନୂଆଘାଇ ନାଳର ଜଳସ୍ତର ବଢ଼ି କୂଳ ଲଙ୍ଘିବା ଫଳରେ ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ନାଳର ତୀବ୍ର ସ୍ରୋତରେ କୂଳ ଧୋଇଯାଉଥିବାରୁ ବର୍ତ୍ତମାନ ମୁଖ୍ୟ ମନ୍ଦିର ପ୍ରତି ମଧ୍ୟ ମାଡ଼ିଆସିଛି ବଡ଼ ବିପଦ।
ପୂର୍ବରୁ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ନୂଆଘାଇ ନାଳ ଉପରେ ଥିବା ପୋଲର ଆପ୍ରୋଚ୍ ରୋଡ୍ ଧୋଇଯାଉଥିବାରୁ ସରପାଳ ଗ୍ରାମର ଯୋଗାଯୋଗ ବିଚ୍ଛିନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ପୋଲ ଓ ରାସ୍ତାର ମରାମତି ସହ ମନ୍ଦିର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।