କଳା ଓ ସଂସ୍କୃତି

ଭକ୍ତ ପାଳିଲେ ମା’ ବୁଢୀଠକୁରାଣୀଙ୍କ ଜନ୍ମଦିନ

By Angul TV Bureau

August 24, 2021

ଅନୁଗୁଳ: ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଜନ୍ମଦିନ ଭାଦ୍ରବ କୃଷ୍ଣ ପକ୍ଷ ଦ୍ଵିତୀୟ। ତିଥିରେ ପାଳନ କରାଯାଏ। ମଙ୍ଗଳବାର ସକାଳୁ ଭକ୍ତମାନେ ଏହି ଉତ୍ସବକୁ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାର ଭକ୍ତମାନେ ଏହିଦିନକୁ ଅପେକ୍ଷା କରିଥାନ୍ତି। ମା’ ବୁଢ଼ୀଙ୍କ ମହିମା ଅପାର। ଅନୁଗୁଳ ସଦର ମହକୁମାର ସୁନା ଶଗଡ଼ ପାହାଡ ତଳେ ମା’ଙ୍କ ଆସ୍ଥାନ। ପଶୁରାଜ ସିଂହ ଏହି ଗୁମ୍ଫାର ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। କିମ୍ବଦନ୍ତି କୁହେ ଅଷ୍ଟମ ଶତାବ୍ଦୀ ବେଳକୁ କନ୍ଧ ଦଳପତି ମା’ ବୁଢ଼ୀଙ୍କ ପୂଜାର ବ୍ୟବସ୍ଥା କରାଇଥିଲେ। ସେତେବେଳେ ଶାକ୍ତ ପରମ୍ପରା ଅନୁସାରେ ଅନଗୁଳରେ ବେଶ ପ୍ରସିଦ୍ଧି ଲାଭ କରିଥିଲା ମା’ଙ୍କ ମହିମା। ଭକ୍ତଙ୍କ ଉଦ୍ୟମ କ୍ରମେ ମା’ଙ୍କ ମନ୍ଦିରର ଉନ୍ନତି କରାଗଲା। ଜନ୍ମ ଦିନରେ ମା’ଙ୍କୁ ବିଭିନ୍ନ ଅଳଙ୍କାରରେ ସଜ୍ଜିତ କରାଯାଏ। ଏହି ଦିନ ମା’ଙ୍କ ଜନ୍ମ ବେଦୀ  ଜେମାଦେଇପୁର ଶାସନରୁ ମା’ଙ୍କ ଆଲମକୁ ଭକ୍ତଙ୍କ ମେଳରେ ଢ଼ୋଲ, ନିଶାଣ, ଘଣ୍ଟ ବାଦ୍ୟରେ ସୁସଜ୍ଜିତ ପଟୁଆରରେ ଅଣାଯାଇ ସୁନାଶଗଡ଼ ପାହାଡ଼ ଆସ୍ଥାନରେ ପୂଜାର୍ଚ୍ଚନା କରାଯାଏ। ହଜାର ହଜାର ଭକ୍ତ ମନ୍ଦିରରେ ସମବେତ ହୋଇ ମା’ଙ୍କ କରୁଣା ଭିକ୍ଷା କରିଥାନ୍ତ। ତେବେ ଚଳିତ ବର୍ଷ ପ୍ରଶାସନର କୋଭିଡ କଟକଣା ଅନୁସାରେ ଏହି ଉତ୍ସବ ପାଳନ କରାଯାଇଛି।