ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲ ନିକଟରେ ସାପ୍ତାହିକ ହାଟ ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ଯୋଗ ଦେଇ ସାପ୍ତାହିକ ହାଟର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବଅଁରପାଳ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଏଲିଜା ମିଶ୍ର, ବଉଳିଗଡ଼ ସରପଞ୍ଚ ଅମରେଶ ଗଡନାୟକ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରତ୍ୟେକ ସପ୍ତାହର ସୋମବାର ଦିନ ଏହି ହାଟ ଅନୁଷ୍ଠିତ ହେବ। ଏହି ହାଟରେ ସୋମବାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଆସି ଯୋଗ ଦେଇଥିଲେ। ଗଡସନ୍ତ୍ରୀ, ସାନ୍ତରାପୁର, ରାମିମୁଣ୍ଡା, କଲଣ୍ଡାପାଳ, ବଉଳିଗଡ଼, ତଳମୂଳ, ଆମନା, ସଂଜପଡା, ଭୋଗରାମୁଣ୍ଡା, ଖାଲପାଳ, ପୁରୁଣାକୋଟ ଓ ଆଖପାଖ ଅଞ୍ଚଳରୁ ଶହ ଶହ ଲୋକ ଆସି ଏଠାରେ ପରିବା କିଣା ବିକା କରିଥିଲେ। ଏହି ସାପ୍ତାହିକ ହାଟ ବଉଳିଗଡ଼ ପଞ୍ଚାୟତର ସହଯୋଗରେ ଅନୁଷ୍ଠିତ ହେବ। ତେବେ ପ୍ରଥମ ଦିନରେ ହାଟରେ ପ୍ରବଳ ଜନ ଗହଳି ଲାଗିଥିବା ଦେଖିବାକୁ ମିଳିଛି।