ମୁଖ୍ୟ ଖବର

ସାବଧାନ! ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୁଲୁଛନ୍ତି ଦଲାଲ, ନିରୀହଙ୍କଠୁ ଲୁଟି ନେଉଛନ୍ତି ଝାଳବୁହା ଧନ

By Biswaranjan Pattnaik

May 05, 2024

ଅନୁଗୁଳ: ଦଲାଲଙ୍କ କବଳରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଦଲାଲଙ୍କ ପାଇଁ ଚିକିତ୍ସା ଲାଗି ଆସୁଥିବା ନିରୀହ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଶନିବାର ସକାଳେ ବଇଣ୍ଡା ଫାଣ୍ଡି ଅନ୍ତର୍ଗତ ବଡହୁଲା ଗ୍ରାମର ଗୋବର୍ଦ୍ଧନ ସାହୁ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଡାକ୍ତରଙ୍କ ପରାମର୍ଶରେ ରକ୍ତ ପରୀକ୍ଷା କରିବାକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ବସିଥିବା ଏକ ଦଲାଲ୍ ହାବୁଡ଼ରେ ପଡ଼ିଥିଲେ। ଖାଲି ପେଟରେ ପ୍ରଥମ ରକ୍ତ ନମୁନା ଦେବା ପରେ ଘରୁ ଆଣିଥିବା ଖାଦ୍ୟକୁ ଟିକେ ଦୂରରେ ଥିବା ଗଛ ମୂଳେ ଖାଉଥିଲେ। ଏହି ସମୟରେ ଦଲାଲଟି ଟିକେ ଆସୁଛି କହି ଭିତରେ ବସିଥିବା ସୁକାନ୍ତିଙ୍କ ପାଖକୁ ଆସି ମଉସା ପଠାଇଛନ୍ତି ୨୫୦୦ ଟଙ୍କା ଦେଲେ ଔଷଧ ଅଣାହେବ କହିଥିଲା। ଏଣୁ ମାଉସୀ ତାଙ୍କୁ ବିଶ୍ୱାସ କରି ୨୫୦୦ ଟଙ୍କା ଦେଇଦେଲେ। କିନ୍ତୁ ଗୋବର୍ଦ୍ଧନ ଆସିବା ପରେ ସତ ଜଣାପଡ଼ିଥିଲା ଯେ ସେ ଟଙ୍କା ପାଇଁ କାହାକୁ ପଠାଇନି। କିନ୍ତୁ ସେତେ ବେଳକୁ ଦଲାଲଟି ସେଠାରୁ ଚମ୍ପଟ ମାରିଥିଲା।

ଏନେଇ ଗୋବର୍ଦ୍ଧନ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଡାକ୍ତରଖାନା ଆସି ସିସିଟିଭି ଫୁଟେଜ ନେଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।