ଭୁବନେଶ୍ୱର: ରାଜ୍ୟବାସୀ କ’ଣ ଖାଉଛନ୍ତି? ଆପଣ କିଣୁଥିବା ଖାଦ୍ୟ ସାମଗ୍ରୀ ସୁରକ୍ଷିତ ତ? ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯେଉଁ ତଥ୍ୟ ରଖିଛନ୍ତି, ତାହା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଅପମିଶ୍ରିତ ଖାଦ୍ୟର କାରବାର ବ୍ୟାପକ ଭାବେ ଚାଲିଛି।
କେବଳ ଖୋଲା ସାମଗ୍ରୀ ନୁହେଁ, ବଡ଼ ବଡ଼ ବ୍ରାଣ୍ଡର ପ୍ୟାକେଟ୍ ଖାଦ୍ୟ ମଧ୍ୟ ଏବେ ଅସୁରକ୍ଷିତ। ଯାଞ୍ଚ ସମୟରେ ହର୍ଲିକ୍ସ, କ୍ଷୀର, ଦହି, ଛେନା ପାଣି, ଘିଅ, ଲହୁଣୀ ସହ ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ମସଲା, ମଇଦା, ଚିନି ଏବଂ ସମସ୍ତେ ବ୍ୟବହାର କରୁଥିବା ଲୁଣରେ ବି ଭେଜାଲ୍ ମିଳିଛି। ସେହିପରି ବ୍ରେଡ୍, ବିସ୍କୁଟ୍, ସ୍ନାକ୍ସ, ଛତୁଆ, ସସ୍, ସୋୟାବିନ, ପାମ୍ପଡ, ଚକୋଲେଟ୍ ଏବଂ ନୁଡୁଲ୍ସରେ ବି ଅପମିଶ୍ରଣ ହେଉଛି। ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଏହି ଅପମିଶ୍ରଣ କାରବାର ସବୁଠାରୁ ଭୟଙ୍କର ରୂପ ଧାରଣ କରିଛି। କିଛି ଖାଦ୍ୟ ନମୁନାରେ ଅତ୍ୟନ୍ତ କ୍ଷତିକାରକ ତଥା ବିଷାକ୍ତ ପଦାର୍ଥ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ସଙ୍ଗୀନ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟବ୍ୟାପୀ ଚଢାଉ ଓ ତଦାରଖ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି।
କିପରି ସୁରକ୍ଷିତ ରହିବେ?
ଖାଦ୍ୟ କିଣିବା ବେଳେ FSSAI ମାର୍କ ଯାଞ୍ଚ କରନ୍ତୁ।ଅତ୍ୟଧିକ ଶସ୍ତା କିମ୍ବା ରଙ୍ଗୀନ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।କୌଣସି ସନ୍ଦେହ ହେଲେ ସ୍ଥାନୀୟ ଖାଦ୍ୟ ନିରୀକ୍ଷକଙ୍କୁ ଜଣାନ୍ତୁ।