ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସମଲ ଥାନା ଇଲାକାରେ ଦୁର୍ବୃତ୍ତଙ୍କ ଉତ୍ପାତ ସାଧାରଣରେ ଆତଙ୍କ ସୃଷ୍ଟି କରିଛି । ମଙ୍ଗଳବାର ରାତିରେ ପବିତ୍ରନଗର ପ୍ରାଣୀ ଚିକିତ୍ସକ ଡା. କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ତାଙ୍କ କ୍ୱାର୍ଟର୍ସରେ ପଶି ଚାରି ଜଣ ଦୁର୍ବୃତ୍ତ ମାଡ଼ପିଟ୍ କରିଛନ୍ତି। ତାଙ୍କଠାରୁ ପ୍ୟାଣ୍ଟସାର୍ଟ ସମେତ ୬ ହଜାର ଟଙ୍କା ଛଡ଼ାଇ ନେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଚିକିତ୍ସା କେନ୍ଦ୍ର ପରିସରରେ ଡାକ୍ତରଙ୍କ ସରକାରୀ ଆବାସ ରହିଛି । ମଙ୍ଗଳବାର ରାତିରେ ସେ ଶୋଇଥିବା ବେଳେ ରାତି ପ୍ରାୟ ୨ଟା ବେଳେ ୪ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇଥିଲେ। ଗୋରୁ ଅସୁସ୍ଥ ହୋଇପଡ଼ିଥିବା ଦର୍ଶାଇବାରୁ ଡା. ପ୍ରଧାନ ଉଠି କବାଟ ଖୋଲିଥିଲେ । ତା’ ପୂର୍ବରୁ ଦୁର୍ବୃତ୍ତମାନେ ଅଗଣା ଗ୍ରୀଲ ତାଲା ଭାଙ୍ଗିବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ଡା. ପ୍ରଧାନ କବାଟ ଖୋଲିବା କ୍ଷଣି ଦୁର୍ବୃତ୍ତମାନେ ତାଙ୍କୁ ନିସ୍ତୁକ ପିଟିବା ସହ ତାଙ୍କଠାରୁ ୬ ହଜାର ଟଙ୍କା, ପ୍ୟାଣ୍ଟ୍ ସାର୍ଟ୍ ଧରି ଚମ୍ପଟ୍ ମାରିଥିଲେ। ଆଜି ସକାଳେ ସମଲ ଥାନାରେ ଏତଲା ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସମଲ ଥାନାର ହରିହର ପ୍ରଧାନ ମାମଲାର ତଦନ୍ତ ଚଳାଇଛନ୍ତି।