ଅନ୍ୟାନ୍ୟ

ପଞ୍ଚପଡ଼ାରେ ଜିଲ୍ଲାସ୍ତରୀୟ ଚତୁର୍ଦ୍ଦଶ ଭାଗବତ ପ୍ରଶ୍ନଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ

By Angul TV Bureau

September 15, 2025

ଅନୁଗୁଳ: ଅଗ୍ନିରୂପା ପୁରାଣ ମହାଯଜ୍ଞ ତାଳଚେର ଆନୁକୂଲ୍ୟରେ ଅନୁଗୁଳ ବ୍ଲକ ଇଙ୍କରବନ୍ଧ ପଞ୍ଚାୟତ ପଞ୍ଚପଡ଼ା ମା’ ପିତାବଳୀ ପିଢ଼ ପ୍ରାଙ୍ଗଣରେ ରବିବାର ଚତୁର୍ଦ୍ଦଶ ଜିଲ୍ଲାସ୍ତରୀୟ ଭାଗବତ ପ୍ରଶ୍ନଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ପ୍ରଫୁଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚପଡ଼ା, ସାନ କଞ୍ଜିନି, ବଡ଼କଞ୍ଜିନି, ନୂଆପଡ଼ା, ସାରଙ୍ଗପୁର, ଖଜୁରିନାଳି ଆଦି ଗ୍ରାମରୁ ଏକ ହଜାରରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।

ଅନୁଗୁଳ, ତାଳଚେର ଓ ଢେଙ୍କାନାଳ ଜିଲ୍ଲାର ୧୪ଟି ଗାଁର ୭୦ ଜଣ ପ୍ରତିଯୋଗୀ ଶ୍ରୀମଦ୍ ଭାଗବତ ସମ୍ବନ୍ଧୀୟ ପ୍ରଶ୍ନୋତ୍ତରରେ ଭାଗ ନେଇଥିଲେ। ଏଥିରେ ତାଳଚେରର ଗୋବରା ଗାଁ ପ୍ରଥମ, ଢେଙ୍କାନାଳର ମାନପୁର ଦ୍ୱିତୀୟ, ତାଳଚେରର ବଡ଼ଯୋରଡ଼ା ତୃତୀୟ ଓ ସାନକଞ୍ଜିନି ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।

କାର୍ଯ୍ୟକ୍ରମରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ପଣ୍ଡିତ ମହେଶ ସାହୁ ମୁଖ୍ୟଅତିଥି ଭାବେ ଓ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ବିଧାୟକ ପ୍ରଧାନ ପଞ୍ଚପଡ଼ାର ୧୨୦ ଜଣ ବରିଷ୍ଠ ନାଗରିକଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିବା ବେଳେ ବିଜେତା ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାମୂହିକ ପ୍ରସାଦ ସେବନ କରାଯାଇଥିଲା। ପଞ୍ଚପଡ଼ା ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।