ମୁଖ୍ୟ ଖବର

ଶ୍ରମିକ ସଂଗଠନର ମିଳିତ ହୁଙ୍କାର ‘ଭାରତ ବନ୍ଦ’: ଅନୁଗୁଳରେ ଧର୍ମଘଟ ସଫଳ

By Angul TV Bureau

February 12, 2026

ଅନୁଗୁଳ : କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ୍ ପକ୍ଷରୁ ଆହୂତ ସାରାଭାରତ ସାଧାରଣ ଧର୍ମଘଟ ଅନୁଗୁଳ ଜିଲ୍ଲାରେ ଅଭୂତପୂର୍ବ ସଫଳତା ପାଇଛି। ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି ଶ୍ରମ କୋଡ୍ ପ୍ରଣୟନ, ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୫, ଏବଂ ବିଦେଶୀ ପୁଞ୍ଜି ନିବେଶ (FDI) ଭଳି ନିଷ୍ପତ୍ତିକୁ ବିରୋଧ କରି ଏହି ଆନ୍ଦୋଳନ କରାଯାଇଛି।

ମୁଖ୍ୟ ଦାବିଗୁଡ଼ିକ ହେଉଛି ସର୍ବନିମ୍ନ ମାସିକ ମଜୁରୀ ୨୬,୦୦୦ ଟଙ୍କା ଓ ପେନ୍‌ସନ୍ ୯,୦୦୦ ଟଙ୍କା କରିବା, NPS/UPS ବାତିଲ କରି ପୁରୁଣା ପେନ୍‌ସନ୍ ସ୍କିମ୍ (OPS) ଲାଗୁ କରିବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ପାଇଁ ଆଇନଗତ ଗ୍ୟାରେଣ୍ଟି ଇତ୍ୟାଦି। ଧର୍ମଘଟ ଯୋଗୁଁ ଅନୁଗୁଳର ଖଣି, କାରଖାନା, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ୍ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ।

ଏହି ଆନ୍ଦୋଳନରେ INTUC ଜିଲ୍ଲା ସଭାପତି ଦିଗାମ୍ବର ଗଡ଼ନାୟକ, CITU ରାଜ୍ୟ ଉପସଭାପତି ଡକ୍ଟର ଉପେନ୍ଦ୍ର କୁମାର ଶର୍ମା, HMS, AIUTUC ଏବଂ ଅନ୍ୟାନ୍ୟ ସଂଗଠନର ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଥିଲେ। ଜନସାଧାରଣଙ୍କ ସ୍ୱତଃସୃତ ସମର୍ଥନ ପାଇଁ ସଂଗଠନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି।