ମୁଖ୍ୟ ଖବର

ଆଜିଠୁ ଦୁଇଦିନିଆ ଭାରତ ବନ୍ଦ: ଗଡ଼ିବ ବସ୍, ଖୋଲା ରହିବ ଦୋକାନ ବଜାର ଓ ପେଟ୍ରୋଲ ପମ୍ପ

By Angul TV Bureau

March 28, 2022

ଭୁବେଶ୍ୱର: କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଭାରତ ବନ୍ଦ।‌ ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଉଛି। ବନ୍ଦ ବେଳେ ରେଳ ଷ୍ଟେସନ, ବିମାନବନ୍ଦର, ଅଫିସଗୁଡ଼ିକରେ ପିକେଟିଂ, ରାଜପଥ ଅବରୋଧ ଓ ରାସ୍ତାରୋକ କରାଯିବ। ତେବେ ଧର୍ମଘଟ ଯୋଗୁଁ ବସ୍ ସେବା ପ୍ରଭାବିତ ହେବ ନାହିଁ। ଧର୍ମଘଟ ସମ୍ପର୍କରେ ରାଜ୍ୟ ବସ୍ ମାଲିକ ସଂଘର ପ୍ରବକ୍ତା ଦେବାଶିଷ ନାୟକ କହିଛନ୍ତି, ଧର୍ମଘଟ ସହ ଆମେ ଜଡ଼ିତ ନାହୁଁ। ଏଣୁ ସୋମବାର ଦିନ ବସ୍ ସେବା ସ୍ବାଭାବିକ ରହିବ। ଯଦି କେଉଁଠାରେ ରାସ୍ତା‌ରୋକ କିମ୍ବା ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୁଏ, ତେବେ ସେଭଳି ସ୍ଥିତିରେ ବସ୍ ସେବା ପ୍ରଭାବିତ ହୋଇପାରେ। ନଚେତ୍ ସବୁ ବସ୍ ସ୍ବାଭାବିକ ଭାବେ ଚଳପ୍ରଚଳ କରିବ ବୋଲି ପ୍ରବକ୍ତା କହିଛନ୍ତି।

ସେହିଭଳି ଧର୍ମଘଟ ଯୋଗୁଁ ଖୁଚୁରା ବଜାର ମଧ୍ୟ ପ୍ରଭାବିତ ହେବ ନାହିଁ। ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲାରହିବ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

ଏହି ଧର୍ମଘଟରେ ଏଆଇବିଓସି ଓ ନ୍ୟାସନାଲ୍ କନଫଡେରେସନ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ (ଏନ୍‌ସିବି) ସାମିଲ ହୋଇନଥିବାରୁ ଷ୍ଟେଟ୍‌ ବ୍ୟାଙ୍କର ଶାଖାଗୁଡ଼ିକ ଆଜି ସବୁଦିନ ଭଳି ଖୋଲା ରହିବ ବୋଲି ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ)ର ସଂଯୋଜକ ରଘୁନାଥ ପ୍ରସାଦ ଦାସ କହିଛନ୍ତି। ଏଆଇବିଇଏ, ଆଇବିଓଏ ଓ ବେଫି ଭଳି ସଂସ୍ଥା ଧର୍ମଘଟକୁ ସମର୍ଥନ କରୁଛନ୍ତି ଓ ସବୁ ସଂଘ ଓଡ଼ିଶାରେ ସକ୍ରିୟ ରହିଛନ୍ତି, ତେଣୁ ଅନ୍ୟ ସବୁ ବ୍ୟାଙ୍କଗୁଡ଼ିକ ଆସନ୍ତାକାଲି ଓ ତା’ ପରଦିନ ବନ୍ଦ ରହିବ ବୋଲି ସେ କହିଛନ୍ତି।

କିନ୍ତୁ ଅଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ରାୟଙ୍କ କହିବାନୁସାରେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ ଲାଗି ସରକାର ଯେଉଁ ନୀତି ଆଣିଛନ୍ତି ଆମେ ତାହାକୁ ଦୃଢ଼ ବିରୋଧ କରୁଛୁ। ଏଥିରୁ ବିରତ ରହିବା ପାଇଁ ଆମେ ଏହି ଧର୍ମଘଟ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଉଛୁ ବୋଲି ସେ କହିଛନ୍ତି। ଆଜି ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଯେଉଁ ଶାଖା ଖୋଲାଥିବ ସେଠାରେ ପିକେଟିଂ କରି ବନ୍ଦ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଧର୍ମଘଟ ବେଳେ ଦୁଇ ଦିନ ଯାକ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ସ୍ବାଭାବିତ ‌ଭାବେ ଖୋଲାରହିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି।