ଅନୁଗୁଳ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଭାରତ ବିକାଶ ପରିଷଦ ପକ୍ଷରୁ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଅନୁଗୁଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ସଂଗଠନ ର ସଭାପତି ଶାନ୍ତନୁ କୁମାର ସରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀକୁ ମାଲ୍ୟଗିରି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅନିଲ କୁମାର ମିଶ୍ର ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ଶ୍ରୀ ମିଶ୍ର ପୁଞ୍ଜିବାଦ ଓ ସାମ୍ୟବାଦ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ବିଶ୍ୱରେ ଭାରତର କଳା ସଂସ୍କୃତି ଓ ଗଣତାନ୍ତ୍ରିକ ପରମ୍ପରାର କିଭଳି ସ୍ୱତନ୍ତ୍ରତା ରହିଛି ତାହା ବର୍ଣନା କରିଥିଲେ। ପ୍ରଫେସର ସର ନିଜ ବକ୍ତବ୍ୟରେ ଦିନଦୟାଲ ଉପାଧ୍ୟୟଙ୍କ ଏକାତ୍ମ ମାନବ ଦର୍ଶନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଭରତ ଗଡ଼ନାୟକ, ସଂଗଠନ ସମ୍ପାଦକ ସିଦ୍ଧନାଥ ସାହୁ, ବଜରଙ୍ଗ ଅଗ୍ରୱାଲଙ୍କ ସମେତ ସଦସ୍ୟ ହୃଦାନନ୍ଦ ପଣ୍ଡା, ମନ୍ମଥ ଦାଶ, ବିମଲ ପଟନାୟକ, କ୍ଷୀରୋଦ ପ୍ରଧାନ ଏବଂ ଅନ୍ୟ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।