ଅନୁଗୁଳ: ଜିନ୍ଦଲ୍ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ୍ ଫାଉଣ୍ଡେସନ୍ ପକ୍ଷରୁ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ବଡ଼ରୋହିଲା ଗାଁରେ ଅବସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ଏସ୍.ଟି. ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ୟଶସ୍ୱିନୀ ଜିନ୍ଦଲ’ ବାଳିକା ଛାତ୍ରାବାସ ନିର୍ମାଣ ପାଇଁ ଭୂମି ପୂଜନ ଆଧାରଶିଳା ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିନ୍ଦଲ୍ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ୍ ଜୀ ଭୂମିପୂଜନ କରି ଆଧାରଶିଳା ରଖିଥିଲେ। ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଜନଜାତି ଓ ଦୂରଦୂରାନ୍ତ ଅଞ୍ଚଳର ବାଳିକାମାନଙ୍କ ପାଇଁ ସୁରକ୍ଷିତ, ସହଯୋଗୀ ଓ ପୋଷକ ଆବାସିକ ସୁବିଧା ଯୋଗାଇ ଉତ୍ତମ ଶିକ୍ଷାର ସୁଯୋଗ ବୃଦ୍ଧି କରିବା। ୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ନୂଆ ହଷ୍ଟେଲରେ ୩୩୦ ଜଣ ଛାତ୍ରୀ ରହିପାରିବେ, ଯାହା ସ୍କୁଲର ଆବାସିକ ସୁବିଧାକୁ ବୃଦ୍ଧି କରିବ। ଶ୍ରୀ ରାମକୃଷ୍ଣ ଆଶ୍ରମର ସଂସ୍ଥାପକା ଅନନ୍ତ ଶାସିନୀଙ୍କ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିନ୍ଦଲ୍ ଷ୍ଟିଲର ସଭାପତି ପ୍ରଶାନ୍ତ ହୋତା ସମସ୍ତଙ୍କ ପରିଚୟ ପ୍ରଦାନ କରିଥିଲେ। ଜିନ୍ଦଲ୍ ଷ୍ଟିଲର ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କ ନେତୃତ୍ୱ ଓ ଜିନ୍ଦଲ୍ ଫାଉଣ୍ଡେସନ ଅଧ୍ୟକ୍ଷା ଶଲ୍ଲୁ ଜିନ୍ଦଲଙ୍କ ଭୂମିକାକୁ ଉଲ୍ଲେଖ କରିଥିଲେ।
ଏହି ଅବସରରେ ପାରମ୍ପରିକ ପୂଜାର୍ଚ୍ଚନା, ଆଧାରଶିଳା ସ୍ଥାପନ ଓ ପୂର୍ଣ୍ଣାହୁତି ଆଦି ରିତିନୀତି ଅନୁଷ୍ଠିତ ହୋଇଥିଲା। ସମାରୋହରେ ଗୁରୁଜୀ ଶ୍ରୀମଦ୍ ବଂଶୀଧର ବଳରାମ ଦାସ, ଜିନ୍ଦଲ୍ ଷ୍ଟିଲର ସିଏସଆର ମୁଖ୍ୟ ରିଶି ପଠାନିଆ, ଏଚଓଡି-ସିଏସ୍ଆର (ଅନୁଗୁଳ) ଜୟନ୍ତ କୁମାର ମହାନ୍ତି, ସ୍କୁଲର ସଂସ୍ଥାପକ ଶେଷଦେବ ଶାସିନୀ, ସହ-ସଂସ୍ଥାପକ ଅନନ୍ତ ଶାସିନୀ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।