ରାଜ୍ୟରେ ୨୪ ବର୍ଷପରେ ନୂଆ ଡବଲ ଇଞ୍ଜିନ ସରକାର କାର୍ଯ୍ୟଭାର ଗ୍ରହଣ କରିଲେ। ୨୪ ବର୍ଷର ବିଜେଡି ସରକାର ଉପରେ ଲୋକେ ଅତିଷ୍ଠ ହୋଇ ସତେ ଯେମିତି ବିଜେପିକୁ ଭୋଟ ଦେଇ କ୍ଷମତାକୁ ଆଣିଲେ। ଏହା ଭାବିବା ଆଦୌ ଉଚିତ ନୁହଁ।
ବିଜେଡିର ତଥାକଥିତ ୨ୟ କ୍ଷମତାକେନ୍ଦ୍ରଙ୍କ ଅନ୍ତର୍ଘାତି କାର୍ଯ୍ୟ ପାଇଁ ବିଜେପି କ୍ଷମତାକୁ ଆସିଲା ବୋଲି ବିଭିନ୍ନ ରାଜନୈତୀକ ସମୀକ୍ଷକମାନେ କହୁଛନ୍ତି। ସେ ବିଷୟକୁ ଆଲୋଚନା କରିଲେ ବହୁତ କିଛି କହିବାକୁ ପଡ଼ିବ। ତେବେ କୌଶଳରେ କ୍ଷମତାକୁ ଆସିଥିବା ବିଜେପି ସରକାରର ବିଧାୟକ ଓ ମନ୍ତ୍ରୀଙ୍କ ଉତ୍ପାତ ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେବଳ ସେତିକି ନୁହଁ, ନେତା ତ’ ନେତା, କୁଜିଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କ ଉତ୍ପାତ ଏବେ ସୀମା ସରହଦ ପାର କରିଗଲାଣି। ଏହାକୁ ଏବେ ରାଜ୍ୟବାସୀ ଅଙ୍ଗେ ନିଭାଉଛନ୍ତି। ଅନ୍ୟପକ୍ଷରେ ଆମଦାନୀ ହୋଇ ବିଜେପିରେ ସାମିଲ ହୋଇଥିବା କେତେକ ନେତାଙ୍କ ଉତ୍ପାତରେ ଖୋଦ୍ ପୁରୁଣା ବିଜେପି ନେତା ଓ କର୍ମୀ ଅତିଷ୍ଠ ହୋଇଗଲେଣୀ।
ବିଜେଡି ସରକାର ସମୟରେ ସର୍ବୋଚ୍ଚ କ୍ଷମତା ଉପଭୋଗ କରୁଥିବା ସରକାରୀ ବାବୁଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ହନ୍ତସନ୍ତ ହେଉଛନ୍ତି। ସବୁଠି, ସବୁ ସମୟରେ, ପ୍ରତ୍ୟେକ କଥାରେ ବିଜେପି ନୋତା ଓ କର୍ମୀଙ୍କ ହସ୍ତକ୍ଷେପ। ଇନ୍ଦ୍ର-ଚନ୍ଦ୍ର ମାନୁ ନାହାଁନ୍ତି ବିଜେପି ବାଲା। ଭୁବନେଶ୍ବର ମହାନଗର ନିଗମ ଡେପୁଟି କମିଶନରଙ୍କୁ କାର୍ଯ୍ୟାଳୟରେ ପଶି ସମସ୍ତଙ୍କ ସାମ୍ନାରେ ବିଧା ଗୋଇଠା ମାରିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ବିଜେପି କୁଆଡ଼େ ବହୁତ ନମ୍ର। ଅଣ୍ଟା ଭାଙ୍ଗିକି ନମସ୍କାର ହୁଅନ୍ତି। ଶୀର୍ଷ ନେତୃତ୍ବଠାରୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଗଣ ମାଧ୍ୟମରେ ଫଟୋ ଭିଡିଓ ଅପଲୋଡକରିବା ଓ ସେୟାର କରିବାରେ ମାହିର। ସମସ୍ତେ ସବୁ ଜାଣୁଛନ୍ତି।
ଏବେ ଯିବା ଅନୁଗୁଳକୁ। ଏଠି ଯେମିତି ବିଧାୟକମାନେ ସମସ୍ତ କ୍ଷମତାର ଅଧିକାରୀ। ତାଙ୍କ ବିନା ନିର୍ଦ୍ଦେଶରେ ଏଠି ପତ୍ରଟିଏ ବି’ ହଲୁନାହିଁ। ଜିଲ୍ଲା କାର୍ଯ୍ୟାଳୟ, ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ବ୍ଲକ୍, ତହସିଲ, ଥାନା ଓ ଫାଣ୍ଡି ସବୁଠି ବିଧାୟକମାନଙ୍କ ହସ୍ତକ୍ଷେପ। ହେଲା, ସେ ଲୋକପ୍ରତିନିଧି। ଲୋକଙ୍କ ସେବା ପାଇଁ ହସ୍ତକ୍ଷେପ କରିବେ କିଛିଯାଏ ଆସେ ନାହିଁ। ତା’ବୋଲି କୁଜି ବି ଧମକାଇବେ। ଏତଦ୍ ଭିନ୍ନ ବିଧାୟକଙ୍କ ଭାଇ, ବନ୍ଧୁ, ସାଙ୍ଗ, ସାଥି, ଯୋତା ଚପଲ ଇତ୍ୟାଦି ମଧ୍ୟ ହସ୍ତକ୍ଷେପକରିବାର ନଜିର ରହିଛି। ତାହା ଜିଲ୍ଲାବାସୀ ଅଙ୍ଗେ ନିଭାଇଲେଣି।
ଜିଲ୍ଲା ମହୋତ୍ସବଠାରୁ ଆରମ୍ଭକରି, ଥାନାରୁ ଅଭିଯୁକ୍ତଙ୍କୁ ଉଠାଇ ନେବା, ଲଟେରୀ ଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା, ବେଆଇନ ଉଠାଦେକାନୀ ଓ ଜବରଦଖଲକାରୀଙ୍କୁ ସହଯୋଗକରିବାଭଳି ଘଟଣା ରହିଛି। ଏବେ ତାଜା ଘଟଣା ପୂଜାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମୟ ଅବଧି ଶେଷ ହେବାରୁ ଏହାକୁ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ଅଶାଳିନ ବ୍ୟବହାରକରାଯାଇଛି। ଏବେ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀମାନେ କହୁଛନ୍ତି କାହାକଥା ଶୁଣିବୁ। ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୪/୫ ଜଣ ବିଧାୟକ। ଏସବୁ ଦେଖି ସମସ୍ତେ କହୁଛନ୍ତି ୨୪ ବର୍ଷରେ ତ’ ଏମିତି ହେଉନଥିଲା। ସତରେ କ’ଣ ବିଜେପିକୁ ଭୋଟ ଦେବା ଭୁଲ ହୋଇଗଲା।