ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପୀଠ ପରିସରରେ ଶୁକ୍ରବାର ବହୁମୁଖ୍ ସାଂସ୍କୃତିକ କେନ୍ଦ୍ରର ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତାଳଚେର ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନଙ୍କ ଉପସ୍ଥିତିରେ ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ଵରଞ୍ଜନ ରଥ ଉତ୍ସବରେ ପୌରୋହିତ୍ୟ କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ଭୂମିପୂଜନ ଉତ୍ସବର ଶୁଭାରମ୍ଭ କରିଥିଲେ। ଯଜ୍ଞରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୁରେଶ ଚନ୍ଦ୍ର ଧରି ଯଜ୍ଞ କାର୍ଯ୍ୟ ପାରମ୍ପରିକ ବିଧୂ ଅନୁଯାୟୀ ସମ୍ପନ୍ନ କରିଥିଲେ। ରାଜପୁରୋହିତ ପଣ୍ଡିତ ପଙ୍କଜ ଲୋଚନ ପତି ଦେବଶର୍ମା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ତାଳଚେର ଯୁବରାଜ ବିଜୟେନ୍ଦ୍ର ଦେବ,ଟ୍ରଷ୍ଟ ବୋର୍ଡ ସଦସ୍ୟ ଜଗନ ମୋହନ ଗଡନାୟକ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ମୂରଲୀଧର ସାହୁ, ସନ୍ତୋଷ ପ୍ରଧାନ, ରାଜେନ୍ଦ୍ର କୁମାର ସିଂହ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ ସାହୁ, ରତ୍ନାକର ସାହୁଙ୍କ ସମେତ ଶ୍ରମିକ ନେତା ସଞ୍ଜୟ ମାଝୀ, ଶଙ୍କର ବେହେରା, ସୁରେନ୍ଦ୍ର ଶର୍ମା, ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ମା’ ହିଙ୍ଗୁଳାଙ୍କ ମନ୍ଦିରର ପୂର୍ବ ଦିଗରେ ଏହି ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ଏଥିରେ ଜିଲ୍ଲା ଖଣିଜ ପାଣ୍ଠିରୁ ୧୮ କୋଟି ୭୦ ଲକ୍ଷ ୭୯ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୨ ମସିହା ନଭେମ୍ବର ୨୧ ସୁଦ୍ଧା ଶେଷ ହେବ ବୋଲି ତାଳଚେର ପୂର୍ତ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ମାଝୀ ପ୍ରକାଶ କରିଛନ୍ତି।