ମୁଖ୍ୟ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ! ଏଥରକ ବି ହେବନି ଛାତ୍ର ସଂସଦ ନିର୍ବାଚନ

By Angul TV Bureau

September 13, 2023

ଅନୁଗୁଳ/ଭୁବନେଶ୍ୱର: ପୂର୍ବ ବର୍ଷମାନଙ୍କ ଭଳି ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ। କ୍ୟାମ୍ପସରେ ଇଲେକ୍ସନ ନ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ଚଳିତ ବର୍ଷ କଲେଜ, ବିଶ୍ବବିଦ୍ୟାଳୟରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ମିଶାଇଲେ ଲଗାତାର ୭ ବର୍ଷ ଛାତ୍ର ନିର୍ବାଚନ ବନ୍ଦ ରହିବ। ପୂର୍ବରୁ ୬ ଥର ରାଜ୍ୟର ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛନ୍ତି ରାଜ୍ୟ ସରକାର।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ମୁତାବକ, କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି। ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଏଥର ମଧ୍ୟ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ।

କ୍ୟାଲେଣ୍ଡର ଅନୁସାରେ, ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ୨୦୨୪ ମେ’ ୫ରୁ ଜୁନ୍ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ। ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ଶେଷ ଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ହେଲେ ପାଠପଢ଼ା ବନ୍ଦ ରହୁଥିବା ବେଳେ କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏଥିସହ ହିଂସାକାଣ୍ଡ ବି ବଢ଼ୁଛି। ସେଥିପାଇଁ ରାଜ୍ୟ ସରକାର ନିର୍ବାଚନ ବନ୍ଦ ନେଇ ଗତ ୬ ବର୍ଷ ହେବ ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି।