ଅନୁଗୁଳ: ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ସାମ୍ପ୍ରତିକ ବୈଷୟିକ ଜ୍ଞାନକୌଶଳରେ ନିପୁଣ କରିବା ଲକ୍ଷ୍ୟରେ ପାଳଲହଡ଼ା ସ୍ଥିତ ପିଏମଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (OCAC) ଏବଂ ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡ଼ (OKCL) ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଶିବିରକୁ ପାଳଲହଡା ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ପ୍ରଧାନ ଏବଂ ଓକେସିଏଲ୍ର ଜିଲ୍ଲା ସଂଯୋଜକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ।
ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷ କରି ତିନୋଟି ପ୍ରମୁଖ ବିଷୟରେ ବୈଷୟିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଯଥା: ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ମାଧ୍ୟମରେ ବିଭିନ୍ନ ଯନ୍ତ୍ରପାତି ଓ ଉପକରଣକୁ କିଭଳି ଅନଲାଇନ୍ ସଂଯୋଗ କରାଯାଇପାରିବ, ଦୈନନ୍ଦିନ ଜୀବନରେ AI ର ବ୍ୟବହାର ଓ ଏହାର ଭବିଷ୍ୟତ ଓସାଇବର ସୁରକ୍ଷା।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଓଡ଼ିଶାର ୧୦୦ଟି ହାଇସ୍କୁଲର ପ୍ରାୟ ୧୨,୦୦୦ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଅନୁଗୁଳ ଜିଲ୍ଲାର ୪ଟି ଉପଖଣ୍ଡର ମୋଟ ୫ଟି ବିଦ୍ୟାଳୟ ଆଠମଲ୍ଲିକ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପିଟିସି ଉଚ୍ଚ ବିଦ୍ୟାଳୟ, ତାଳଚେର ଯୁବରାଜ ଉଚ୍ଚ ବିଦ୍ୟାଳୟ ଓ ପାଳଲହଡ଼ା ମହତାବ ଉଚ୍ଚ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ପର୍ଯ୍ୟାୟକ୍ରମେ ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେବା ପରେ, ଗୁରୁବାର ପାଳଲହଡ଼ା ମହତାବ ଉଚ୍ଚ ବିଦ୍ୟାଳୟଠାରେ ଉଦଯାପିତ ହୋଇଛି।