ମୁଖ୍ୟ ଖବର

ବିଜୁ ମଇଦାନ: ସଞ୍ଜ ନଇଁଲେ ଜମୁଛି ଆସର

By Angul TV Bureau

August 17, 2021

ଅନୁଗୁଳ: ଅନୁଗୁଳର ଛାତି ଉପରେ ଠିଆ ହୋଇଥିବା ଜିଲ୍ଲାର ଅନ୍ୟତମ ଲୋକପ୍ରିୟ ସ୍ଥାନ ବିଜୁ ମଇଦାନ ଏବେ ଅସାମାଜିକଙ୍କ ଚରାଭୂଇଁ ପଲଟିଛି। ସଞ୍ଜ ନଇଁଲେ ନିଶାଡ଼ିଙ୍କ ଆଡ୍ଡା ଜମୁଥିବାରୁ ସାଧାରଣ ଲୋକ ଯିବାକୁ ଭୟ କରୁଛନ୍ତି। ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଥିବା ଏହି ପଡିଆ ନିଜର ଅପୂର୍ଵ ସବୁଜିମା, ଜଗିଙ୍ଗ ଏବଂ ୱାକିଂ ପ୍ଲେସ ପାଇଁ ସହରରେ ପ୍ରସିଦ୍ଧି ଅର୍ଜନ କରିଥିଲା। ପିଲାମାନେ ଏହା ପରିସରରେ ବିଭିନ୍ନ ପ୍ରକାର ଖେଳ ମଧ୍ୟ ଖେଳିଆସୁଛନ୍ତି। କିନ୍ତୁ ଧୀରେଧୀରେ ସୁରକ୍ଷା ଅଭାବରୁ ଏହି ସ୍ଥାନ ଏବେ ଅସାମାଜିକଙ୍କ କବଜାକୁ ଚାଲି ଯାଇଛି। ପଡିଆର ଚାରିପାଖରେ ବସିବା ପାଇଁ ଥିବା ପିଣ୍ଡି ଅସାମାଜିକ ଯୁବକଙ୍କୁ ବେଶ୍ ସୁହାଉଛି। ସଞ୍ଜ ଗଡ଼ିଲେ ଗଞ୍ଜେଇ, ତଥା ଅନ୍ୟାନ୍ୟ ଡ୍ରଗ୍ସ ସେବନ କରୁଥିବା ଯୁବକଙ୍କ ଆଡ୍ଡା ସ୍ଥଳୀ ପାଲଟୁଛି। ଏହି ମଇଦାନରେ ପୌରପାଳିକାର କିଛି କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ବୋଲାଉଥିବା କେତେକ ଦଲାଲ ଓ ପୁଲିସ୍ କର୍ମଚାରୀ ଏହି ଗୋଷ୍ଠୀରେ ସାମିଲ ହୋଇ ଆସର ଜମାଇବା ଉଦବେଗର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଥାନା, ଏସପି ଓ ଡିଆଇଜିଙ୍କ ବାସଭବନଠାରୁ ଅନତି ଦୂରରେ ଥିବା ବିଜୁ ମଇଦାନରୁ ଅସାମାଜିକଙ୍କ କବଳରୁ ମୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି।