ମୁଖ୍ୟ ଖବର

ବିଜୁ କ୍ରୀଡ଼ା ସମ୍ମାନର ନାଁ ହେଲା ରାଜ୍ୟ କ୍ରୀଡ଼ା ସମ୍ମାନ, ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ରାଷ୍ଟ୍ରର ସମ୍ପତ୍ତି, ଏପରି ରାଜନୀତି ଠିକ୍ ନୁହେଁ

By Angul TV Bureau

July 20, 2024

ଭୁବନେଶ୍ୱର: ସରକାର ବଦଳିବା ପରେ ପୂର୍ବ ସରକାର ବେଳର ସବୁ ଯୋଜନାର ନାଁ ବଦଳିଯାଉଛି। ଏବେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳାଇଛନ୍ତି ରାଜ୍ୟ ସରକାର। ଏନେଇ କ୍ରୀଡ଼ା ଓ ଯୁବ ସେବା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜୁ କ୍ରୀଡ଼ା ସମ୍ମାନ ଏଣିକି ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ପୁରସ୍କାର ପ୍ରଦାନ କରାଯିବ। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ।

ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର। ତେଣୁ ସେମାନେ ଯେମିତି ପାରିବେ ସେମିତି କାଟିବେ। ବେଳେବେଳେ କାକୁଡି କାଟିଲା ବେଳେ ମୁଣ୍ଡିଟି ପିତା ଲାଗେ। ତେଣୁ ନୂଆ ସରକାରଙ୍କୁ କିଛି ଅନୁରୋଧ ରହିବ। ଏମିତି କୌଣସି କାମ କରନ୍ତୁ ନାହିଁ ଯେଉଁଥିରେ ଓଡ଼ିଶାବାସୀ ମର୍ମାହତ ହେବେ।

ଦେଶ ରାଜନୀତିର ଅନ୍ୟତମ ପ୍ରବାଦ ପୁରୁଷ ହେଉଛନ୍ତି ସ୍ୱର୍ଗତ ବିଜୁ ପଟ୍ଟନାୟକ। ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଜଣେ ଅନୁଷ୍ଠାନ। କେବଳ ଆମ ଦେଶରେ ନୁହେଁ, କିମ୍ବଦନ୍ତୀ ପୁରୁଷ ବିଜୁବାବୁ ୩ଟି ଦେଶର ସମ୍ମାନରେ ସମ୍ମାନିତ । ବିଜୁବାବୁ ରାଷ୍ଟ୍ରର ସମ୍ପତ୍ତି । ତେଣୁ ତାଙ୍କ ନାଁ କାଟି ରାଜ୍ୟ ସରକାର କେଉଁ ଯଶ ବାନା ଉଡାଇବେ ? ଏପରି ରାଜନୀତି କରିବା ଠିକ୍ ନୁହେଁ।

ବିଜୁବାବୁ ଜଣେ ଦିବଙ୍ଗତ ନେତା ଓ ଓଡିଶାର ମଉଡ଼ମଣି। ତାଙ୍କୁ ନେଇ ଆମେ ଗର୍ବ କରୁଛୁ। ଯାହାଙ୍କୁ ସବୁ ରାଜନୈତିକ ଦଳ ସମ୍ମାନ କରୁଛନ୍ତି। ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ କାର୍ଯ୍ୟ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ରହିଛି। ତେବେ ଏଭଳି ନିଷ୍ପତ୍ତିରୁ ବିଜେପି ସରକାର କ୍ଷାନ୍ତ ରହିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି ଅରୁଣ ସାହୁ।