ମୁଖ୍ୟ ଖବର

‘ବିକାଶର ଧାରା, ଓଡ଼ିଶା ସାରା’: ଅନୁଗୋଳରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ, ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ

By Angul TV Bureau

June 20, 2026

ଅନୁଗୋଳ: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ସ୍ଲୋଗାନ ସହ ଅନୁଗୁଳରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍ଥାନୀୟ ସଭାଘରରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ‘ଜନ ସେବା ହିଁ ସଂକଳ୍ପ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ବିଜ୍ଞାନ-ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକାଳରେ ଗରିବ କଲ୍ୟାଣ ଓ ଅନ୍ତ୍ୟୋଦୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।” ସେ ସୁଭଦ୍ରା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ଆୟୁଷ୍ମାନ ଭାରତ, ଅନ୍ନପୂର୍ଣ୍ଣା ଓ ପିଏମଶ୍ରୀ ସ୍କୁଲ ଭଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଓଡ଼ିଶାର ବିକାଶ ରୋଡମ୍ୟାପ୍ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଜିଲ୍ଲାର ପ୍ରକଳ୍ପର ସୁଫଳ ବଖାଣିଥିଲେ। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯଥାକ୍ରମେ ଅନୁଗୁଳ ଓ ଖଣି-କୃଷି-ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇ ବର୍ଷର ବିକାଶ କାମ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଦିନିଆ ପ୍ରଦର୍ଶନୀ ଆରମ୍ଭ ହୋଇଛି। ୮ଟି ଷ୍ଟଲରେ ସରକାରୀ ଯୋଜନା ପ୍ରଦର୍ଶିତ ହେଉଛି ଓ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର କହିଲେ, “ରାଜ୍ୟ-କେନ୍ଦ୍ର ସହାୟତାରେ ଦୁଇ ବର୍ଷରେ ବହୁ ପ୍ରକଳ୍ପ ହୋଇଛି, ଜିଲ୍ଲାବାସୀ ଉପକୃତ ହୋଇଛନ୍ତି।”

କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ସ୍ମାର୍ଟ ଫୋନ୍, ଏସ୍ ଏଚ୍ ଜି ବ୍ୟାଙ୍କ ଋଣ, ରାସନ କାର୍ଡ, ମଧୁବାବୁ ପେନସନ୍, ନିଯୁକ୍ତି ପତ୍ର, ନିର୍ମାଣ ଶ୍ରମିକ ମୃତ୍ୟୁ ସହାୟତା ଓ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ସ୍ୱତନ୍ତ୍ର ସମନ୍ୱୟ ବୋର୍ଡ ଅଧ୍ୟକ୍ଷ ବଶିଷ୍ଠ ନାୟକ, ଜିଲ୍ଲା ପରିଷଦ ସିଡିଓ ଦେବଦତ୍ତ ମହନ୍ତଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଆଶା-ଅଙ୍ଗନବାଡ଼ି କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।