ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ମହୀଧରପୁର ପଞ୍ଚାୟତର ମାଧିଆମୁଣ୍ଡା ଗ୍ରାମ ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇ କଟକ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ରାଜମୋହନପୁରର ନରେଶ ଚନ୍ଦ୍ର ଜାତିଆ (ବାଇକ୍ ନମ୍ବର OD19AF3003) ନିଜ ଘରୁ କୌଣସି ଏକ କାମରେ ଆସୁଥିଲେ । ମାଧିଆମୁଣ୍ଡା ନିକଟରେ ଅନୁଗୁଳ ପଟୁ ଆସୁଥିବା ଏକ ଟିଭିଏସ୍ ରାଇଡର୍ (ବାଇକ୍ ନମ୍ବର WB30AP4363) ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା ।
ଫଳରେ ନରେଶ ଚନ୍ଦ୍ର ଜାତିଆ ରାସ୍ତାକଡକୁ ଛିଟିକି ପଡିବାରୁ ତାଙ୍କର ବାମ ଗୋଡ଼ ଓ ବାମ ହାତ ପାପୁଲି ଭାଙ୍ଗିଯାଇ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ମହୀଧରପୁର ଫାଣ୍ଡି ଅଧିକାରୀ ମାନସ କୁମାର ମିଶ୍ର ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB)କୁ ସ୍ଥାନାନ୍ତରିତ କରାଯାଇଛି । ଦ୍ରୁତ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।