ମୁଖ୍ୟ ଖବର

ଲକ୍ଷ୍ମୀ ବସ୍‌ ସହ ବାଇକ୍‌ ଧକ୍କା; ବାଇକ୍‌ ଆରୋହୀ ମୃତ

By Angul TV Bureau

November 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଥାନା ଅଞ୍ଚଳ ଦୀନବନ୍ଧୁପୁର ବାଙ୍କ ନିକଟରେ ଗୁରୁବାର ସକାଳ ପ୍ରାୟ ୧୦ ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲକ୍ଷ୍ମୀ ବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ଜଣକ ହେଲେ କୃତିବାସପୁର ଗ୍ରାମର ସୁମନ୍ତ ନାଏକ (୩୪)। ସେ ମେଷ ସନ୍ଥାରେ ଜଣେ ବିତରକ ଭାବରେ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ, ସୁମନ୍ତ ଆଠମଲ୍ଲିକ ଡିପୋରୁ ଉପଭୋକ୍ତାଙ୍କ ପାଇଁ ଅନଲାଇନ୍ ଜିନିଷ ଆଣି ଠାକୁରଗଡ଼ରୁ ଆମ୍ବଶରମୁଣ୍ଡା ଅଭିମୁଖେ ଯାଉଥିଲେ।

ଏହି ସମୟରେ, ଆମ୍ବଶରମୁଣ୍ଡା ଆଡୁ ଆସୁଥିବା ଓଡି ୧୯ ୱାଇ ୦୭୦୧ ନମ୍ବର ବିଶିଷ୍ଟ ସରକାରୀ ଲକ୍ଷ୍ମୀ ବସ୍‌ ସହ ଦୀନବନ୍ଧୁପୁର ନିକଟ ବାଙ୍କରେ ବାଇକ୍‌ର ଧକ୍କା ହୋଇଥିଲା। ଦୁର୍ଘଟଣା ଫଳରେ ବାଇକ୍‌ ଆରୋହୀ ସୁମନ୍ତ ନାଏକ ଛିଟିକି ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ ଏବଂ ଲକ୍ଷ୍ମୀ ବସ୍‌ଟି ଘଟଣାସ୍ଥଳରେ ଅଟକି ରହିଥିଲା।

ଖବର ପାଇ ଠାକୁରଗଡ଼ ପୋଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲକୁ ପଠାଇଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ପୋଲିସ୍‌ ଲକ୍ଷ୍ମୀ ବସ୍‌କୁ ଜବତ କରି ଥାନାକୁ ନେଇଯାଇଛି।

ଏହି ଘଟଣାରେ ଠାକୁରଗଡ଼ ଥାନାରେ କେସ୍ ନଂ ୩୧୪/୨୫, ୨୮୧/୧୦୬/୧ରେ ଏକ ମାମଲା ରୁଜୁ କରାଯାଇଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଯାଇଛି।