ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଶୁକ୍ରବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ସମୀର ନାଏକ(୨୭) । ତା’ର ଘର କଣ୍ଟାବଣିଆ ଥାନା ଇଲାକା କମଳାଙ୍ଗ ଗ୍ରାମରେ। ପୁଲିସ୍ ସୂଚନା ମୁତାବକ, ଗତ ମାର୍ଚ୍ଚ ୪ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ଲୁଧଣୀ ଗ୍ରାମର ଅଲେଖ ବେହେରା ତାଙ୍କ ଅସୁସ୍ଥ ଭାଉଜଙ୍କୁ ଧରି ବାଇକ୍( ଓଡି୦ ୬ଏଚ୍୯୫୧୫)ରେ ଅନୁଗୁଳ ମେଡିକାଲ୍କୁ ଆସିଥିଲେ। ସେ ମେଡିକାଲ ପାର୍କିଂ ସ୍ଥାନରେ ବାଇକ୍ ରଖି ଆଉଟ୍ଡୋରକୁ ଯାଇଥିଲେ । ସେଠାରେ ଭାଉଜଙ୍କୁ ଡାକ୍ତରଙ୍କୁ ଦେଖାଇ ଫେରିବା ବେଳକୁ ବାଇକ୍କୁ ପାଇନଥିଲେ। ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନୁଗୁଳ ଥାନା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶୁକ୍ରବାର ଚୋରି ବାଇକ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।