ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସମକୋଇ ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଭାରିଯାନ ବାଇକକୁ ଧକ୍କା ଦେବା ସହ କିଛି ବାଟ ଘୋଷାରି ନେଇଥିଲା। ଫଳରେ ବାଇକରେ ହଠାତ ନିଆଁ ଲାଗିଯାଇଥିଲା ଏବଂ ଜଣେ ବାଇକ ଆରୋହୀ ଯୁବକ ଘଟଣାସ୍ଥଳରେ ହିଁ ଜିଅନ୍ତା ଜଳିଯାଇ ପ୍ରାଣ ହରାଇଛନ୍ତି।
ଏହି ଦୁର୍ଘଟଣାରେ ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଗଭୀର ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।