ପ୍ରତିଭା ଓ ବ୍ୟକ୍ତିତ୍ୱ

ପ୍ରେରଣାର ଉତ୍ସ ସାଜିଛନ୍ତି ବିନୋଦିନୀ

ସିଲାଇରୁ ସ୍ବାବଲମ୍ବୀ, ମାସିକ ରୋଜଗାର ୧୫ ହଜାର

By Angul TV Bureau

April 04, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଇଲାକା ଜଗନ୍ନାଥପୁର ଗାଁର ବିନୋଦିନୀ ବିଶ୍ବାଳ। ଜଙ୍ଗଲଘେରା ଜଗନ୍ନାଥପୁର ଗାଁରୁ ସୁଦୂର ତାମିଲନାଡୁର ତିରିପୁର ସିଆର ଗାର୍ମେଣ୍ଟସରେ ଜଣେ ଟ୍ରେନର ଭାବେ ନିୟୋଜିତ ହୋଇ ସ୍ବାବଲମ୍ବୀ ହୋଇପାରିଛନ୍ତି । ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଥିବା ବିନୋଦିନୀ ନିଜ ରୋଜଗାରରେ କେବଳ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିନାହାନ୍ତି ବରଂ ଜିଲ୍ଲାର ଗ୍ରାମୀଣ ଝିଅମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ତିନିବର୍ଷ ତଳେ ବିନୋଦିନୀ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ ସିଲାଇ ମେସିନ ପରିଚାଳନା ବିଭାଗରେ ଯୋଗ ଦେଇଥିଲେ । ମଧ୍ୟବିତ୍ତ କୃଷକ ପରିବାରରୁ ଆସିଥିବା ବିନୋଦିନୀଙ୍କ ପରିବାରର ଅର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା । ସିଆର୍ ଗାର୍ମେଣ୍ଟସରେ ଯୋଗଦେବା ସମୟରେ ସେ ମାସିକ ୮ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ । ଚାକିରୀରେ ଅଗ୍ରଗତି କରି ସିଲାଇ ମେସିନ୍ ପରିଚାଳିକା ଭାବରେ ପଦୋନ୍ନତି ପାଇଛନ୍ତି । ସେ ଏବେ ମାସିକ ୧୫ ହଜାର ଟଙ୍କା ବେତନ ପାଉଛନ୍ତି । ତାଙ୍କର ଆର୍ଥିକ ସ୍ଥିତି ସୁଧୁରିବା ସହିତ ସେ ତାଙ୍କର ଭଉଣୀର ବିବାହ ପାଇଁ ୨ ଲକ୍ଷ ୫୦ହଜାର ଟଙ୍କା ଜମା କରିପାରିଛନ୍ତି ବୋଲି ବିନୋଦିନୀ ପ୍ରକାଶ କରିଛନ୍ତି । ବିନୋଦିନୀଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଜିଲ୍ଲାର ଗ୍ରାମୀଣ ଝିଅମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।