ଅନୁଗୁଳ: ଅନୁଗୁଳ ସହର ବିଭିନ୍ନ ଅଞ୍ଚଳ ବିଶେଷକରି ହେମସୁରପଡ଼ା,ନାଖରାସାହି,ସରକାରୀ ମେଡିକାଲ ପରିସରେ ଗତ ତିନି ଦିନ ମଧ୍ୟରେ କାଉ ମାନେ ମରି ପଡ଼ୁଥିବା ଦେଖିବାକୁ ମିଳୁଛି। ଗତ ତିନି-ଚାରି ଦିନ ଭିତରେ ପ୍ରାୟ ପନ୍ଦରରୁ କୋଡ଼ିଏ କାଉ ମରିଥିବା କୁହା ଯାଉଛି।
ଆଜି ଏଥିନେଇ ହେମସୁରପଡ଼ା ଅଞ୍ଚଳର କିଛି ଯୁବକ ପ୍ରାଣିଧନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ ଅଫିସକୁ ଯାଇ ଅଧିକାରୀଙ୍କୁ ଜଣାଇଥିଲେ। ଖବରପାଇ ଅଫିସ ଷ୍ଟାଫ୍ ମୃତ କାଉ ଗୁଡ଼ିକୁ ସଂଗ୍ରହ କରିଥିଲେ ଏବଂ ସେମାନଙ୍କ ସ୍ବାବ୍ ସଂରକ୍ଷଣ କରି ଆସନ୍ତା କାଲି ଆନିମଲ ଡିଜିଜ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫୁଲନଖରାକୁ ପଠା ଯିବ ବୋଲି ଅତିରିକ୍ତ ପ୍ରାଣିଧନ ନିର୍ଦ୍ଦେଶକ ଡ଼ା କେଶବ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ,ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ା ପ୍ରଧାନ ପ୍ରକାଶ କରିଛନ୍ତି। ତେବେ କାଉ ମଡକ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।