କଳା ଓ ସଂସ୍କୃତି

ଭକ୍ତିମୟ ପରିବେଶରେ ମା’ କୁଣ୍ଢେଇବୀରାଙ୍କ ଜନ୍ମୋତ୍ସବ ପାଳିତ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

By Angul TV Bureau

October 26, 2026

ଅନୁଗୋଳ: ଘଣ୍ଟଘଣ୍ଟାର ଧ୍ୱନି, ମନ୍ତ୍ରପାଠ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳଲହଡ଼ା ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ମା’ କୁଣ୍ଢେଇବୀରାଙ୍କ ଜନ୍ମୋତ୍ସବ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ମହାଆଡ଼ମ୍ବରରେ ପାଳିତ ହୋଇଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ଲାଗି ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା। ପାରମ୍ପରିକ ପୂଜାବିଧି ଓ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକତାରେ ଭରିଯାଇଥିଲା।

ଜନ୍ମୋତ୍ସବ ପାଇଁ ଚତୁର୍ଦ୍ଦଶୀ ତିଥିରୁ ମା’ଙ୍କ ପୀଠରେ ଧାର୍ମିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅଧିବାସ, କଳସ ଯାତ୍ରା, ଦେବୀ ନିମନ୍ତ୍ରଣ ଓ ଦୀପ ପ୍ରଜ୍ୱଳନ ଆଦି ନୀତି ସମ୍ପନ୍ନ ହୋଇଥିଲା। କୁମାର ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ନଗର ପରିକ୍ରମା ପରେ ମା’ଙ୍କ ସ୍ୱତନ୍ତ୍ର ପୂଜାନୀତି ଆରମ୍ଭ ହୋଇଥିଲା।

ସକାଳେ ବଲ୍ଲଭ ଦୀପ ପ୍ରଜ୍ୱଳନ, ଭୂମିପୂଜା ଓ ଚଣ୍ଡୀପାଠ କରାଯାଇଥିବା ବେଳେ ମଧ୍ୟାହ୍ନରେ ଘଟିପୂଜା ପରେ ମା’ଙ୍କ ବିଗ୍ରହର ମାର୍ଜଣା ନୀତି ଅନୁଷ୍ଠିତ ହୋଇଥିଲା। ଧୂପ, ଦୀପ ଓ ଚନ୍ଦନ ଅର୍ପଣ ସହ କ୍ଷୀର, ଗୁଡ଼, ମହୁ, ଦହି, ଛେନା, ଚୁଆ ଓ ହଳଦୀ ଆଦିରେ ମା’ଙ୍କ ବିଗ୍ରହର ମାର୍ଜଣା କରାଯାଇଥିଲା। ପରେ ମା’ଙ୍କ ନିକଟରେ ଶାକର ଭୋଗ ଲାଗି କରାଯିବା ସହ ସନ୍ଧ୍ୟାରେ ସ୍ୱତନ୍ତ୍ର ଆଳତି ଅନୁଷ୍ଠିତ ହୋଇଥିଲା।

ମା’ଙ୍କ ଜନ୍ମୋତ୍ସବକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ପାଳଲହଡ଼ା ସହରରେ ଅବସ୍ଥିତ ମା’ କୁଣ୍ଢେଇବୀରାଙ୍କ ପୀଠ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇ ରହିଆସିଛି। ପ୍ରତିବର୍ଷ ମା’ଙ୍କ ଜନ୍ମୋତ୍ସବରେ ଏଠାରେ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ପୀଠରେ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।