ମୁଖ୍ୟ ଖବର

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ: ଓଡିଆ ଜନମାନସରେ ଆଜିବି ବଞ୍ଚି ରହିଛନ୍ତି ନବକୃଷ୍ଣ

By Angul TV Bureau

November 23, 2025

ଅନୁଗୁଳ: ବାଜି ରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ବାଧୀନତା ସଂଗ୍ରାମୀ ଓ ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ୧୨୪ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ଏମ୍ ଅଖତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଛାତ୍ରାବାସର ଉପ ସଭାନେତ୍ରୀ ଡ଼ ଇନ୍ଦିରା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଉଦଘାଟକ ଭାବେ ବିଶିଷ୍ଟ ସାହିତ୍ୟିକ ଡ଼ ବିଜୟାନନ୍ଦ ସିଂହ କହିଛନ୍ତି,’ ଓଡିଆ ଜନମାନସରେ ଆଜିବି ବଞ୍ଚି ରହିଛନ୍ତି ନବକୃଷ୍ଣ। ଏଥିସହ ନବବାବୁଙ୍କ ମାନବତାବାଦୀ ଚରିତ୍ର ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ନବକୃଷ୍ଣଙ୍କ ଗାନ୍ଧୀବାଦୀ ଜୀବନଦର୍ଶନ ବିଷୟରେ ଆଲୋଚନା କରି ମୁଖରିତ ହୋଇଥିଲେ।

ସେହିପରି ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ଡ଼ ବିଶ୍ୱଜିତ ସ୍ୱାଗତ ଭାଷଣ ରଖିଥିଲେ। ଛାତ୍ରାବାସର ସମ୍ପାଦକ ଇଂ ଧନେଶ୍ଵର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ନବକୃଷ୍ଣଙ୍କ କନ୍ୟା କୃଷ୍ଣା ମହାନ୍ତି ଚରଖାରେ ସୂତା କାଟି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଡ଼ ଚୈତନ୍ୟ ସାହୁଙ୍କ ‘ଯୁଗସ୍ରଷ୍ଟା ମଧୁସୂଦନ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଡି.ଆଇ.ପି.ଆର.ଓ ଜୟଜିତ ଧଳ।

ଅନ୍ୟମାନଙ୍କ ମଧ୍ୟରେ କୈଳାଶ ଚନ୍ଦ୍ର ସାହୁ, ସୂର୍ଯ୍ୟନାରାୟଣ ନାଥ, ଆନନ୍ଦ ଚନ୍ଦ୍ର ମହାପାତ୍ର, ଆଦ୍ୟଶ୍ଲୋକ ମିଶ୍ର, ଡ଼ ବିକ୍ରମ କେଶରୀ ଦାଶ, ଅକ୍ଷୟ ପଟ୍ଟନାୟକ, ଡ଼ କୁଳମଣି ନାୟକ, ଶିବରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନବଜୀବନ ମଣ୍ଡଳର ସମ୍ପାଦକ ମୁରଲୀଧର ମୂଳିଆ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।