ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବିଜେପି କାର୍ଯ୍ୟାଳୟରେ ସୋମବାର ନିର୍ବାଚନମଣ୍ଡଳୀ ସ୍ତରୀୟ ବିସ୍ତାରକମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟେକ ପଞ୍ଚାୟତରେ ୱାର୍ଡସ୍ତରରୁ ସଙ୍ଗଠନ ସୁଦୃଢ଼ ପାଇଁ କୌଶଳ ସମ୍ପର୍କରେ ଏଥିରେ ତାଲିମ ପ୍ରଦାନ କରାଯାଇଥିଲା। ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀର ସମସ୍ତ ୬ଟିଯାକ ଜିଲ୍ଲା ପରିଷଦ ସଭ୍ୟ ହାତେଇବା ଉପରେ ଗୁରୁତ୍ବ ପ୍ରଦାନ କରାଯାଇଥିଲା । ଛେଣ୍ଡିପଦା ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ ତାଲିମ ଶିବିର ପରିଚାଳନା କରିଥିଲେ। ମାର୍ଗ ଦର୍ଶକ ଭାବେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ମୁଖ୍ୟ ପ୍ରଶିକ୍ଷକ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଯୋଗଦେଇ ଦଳ କିଭଳି କୌଶଳରେ ନିର୍ବାଚନ ଲଢିବାକୁ ଚାହୁଛି, ସେଥିନେଇ ତାଲିମ ପ୍ରଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ ଏଥିରେ ଯୋଗଦେଇ ବିସ୍ତାରକମାନଙ୍କୁ ବିଭିନ୍ନ ସାଂଗଠନିକ କୌଶଳ ସଂପର୍କରେ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ ଉପସ୍ଥିତ ଥିଲେ। ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଯଶୋବନ୍ତ ପ୍ରସାଦ ବେହେରା ଧନ୍ୟବାଦ ଦେଇଥିଲେ ।