ଅନ୍ୟାନ୍ୟ

କଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ

By Biswaranjan Pattnaik

March 27, 2025

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ସଭାକକ୍ଷରେ କଳାକାର ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ଆୟୋଜିତ ହୋଇଥିଲା। ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ସମାଜ ଗଠନରେ ମଞ୍ଚ ନାଟକର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରକାଶ କରିଥିଲେ।

ମୁଖ୍ୟ ବକ୍ତା ରୂପେ ଶିକ୍ଷାବିତ ଶାନ୍ତନୁ କୁମାର ସର ଯୋଗଦେଇ ବିଶ୍ୱ ସ୍ତରରେ ନାଟକ ଏବେ ମୁମୁର୍ଷୁ ଅବସ୍ଥାରେ ଅଛି। ଦର୍ଶକ, କଳାକାର ଏବଂ ସରକାରଙ୍କ ଭିତରେ ମିଳିତ ସମନ୍ୱୟ ନହେଲେ ଏ ଅବସ୍ଥା ସୁଧୁରିବ ନାହିଁ ବୋଲି ଶ୍ରୀ ସର ପ୍ରକାଶ କରିଥିଲେ। ସେହିଭଳି ଓଡ଼ିଆ ମଞ୍ଚ ନାଟକକୁ ଗଣକବି ବୈଷ୍ଣବ ପାଣିଙ୍କ ଅବଦାନ ଏବଂ ସାମ୍ପ୍ରତିକ ସମୟରେ ନାଟକ ର ସବଳ ଓ ଦୁର୍ବଳ ଦିଗ ଉପରେ ଶ୍ରୀ ସର ଆଲୋକପାତ କରିଥିଲେ।

ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କଳାକାର ସଭାପତି ବୀରେନ୍ଦ୍ର ପ୍ରଧାନ, ସହ ସମ୍ପାଦକ ପ୍ରଶାନ୍ତ ରଥ, ଉପଦେଷ୍ଟା ଭୂପେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଗ୍ରୀକ ନାଟ୍ୟ ନିର୍ଦେଶକ ଥିଓଡ଼ର୍ସଙ୍କ ଅନୁଦିତ ବାର୍ତାକୁ କବୟିତ୍ରୀ ଇନ୍ଦିରା ଦାଶ ପଢିଥିଲେ। ଅନୁଗୁଳ ଜିଲ୍ଲାର ଅନ୍ୟତମ ସୁନାମଧନ୍ୟ ନାଟ୍ୟ ସଂସ୍ଥା ନାଲକୋର ସାରେଗାମାକୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସଂସ୍ଥାର ସମ୍ପାଦକ ଅତିଥି ରଞ୍ଜନ ସ୍ୱାଇଁ ଏବଂ ତାଙ୍କ ଦଳ ପୁରସ୍କାର ଗ୍ରହଣ କରିଥିଲେ। ବୈରାଗୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସମାରୋହରେ ବହୁ ନାଟ୍ୟପ୍ରେମୀ ଯୋଗ ଦେଇଥିଲେ।