ଅନୁଗୁଳ: ଅନୁଗୁଳ ମେଡ଼ିକାଲରେ ଦଲାଲ ମାନେ ଏବେ ସୁଦ୍ଧା ସକ୍ରିୟ ଅଛନ୍ତି। ସୋମବାର ସକାଳେ ବନ୍ତଳା ଅଞ୍ଚଳର ଜଣେ ରୋଗୀଙ୍କ ସଂପର୍କୀୟ ଠାରୁ ଜଣେ ଦଲାଲ ୧୫ଶହ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି। ବନ୍ତଳା ଖିଣ୍ଡା ନିକଟବର୍ତ୍ତୀ ମହୀଧରପଡା ଗାଁର ପ୍ରଭାକର ବେହେରା ଗୁରୁତର ଅସୁସ୍ଥ ହୋଇ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ରକ୍ତ ଆବଶ୍ୟକ ହେଉଥିବାରୁ ପୁଅ ପ୍ରକାଶ ଓ ସ୍ତ୍ରୀ ଝଟକା ସେଥିପାଇଁ ଯୋଗାଡ଼ରେ ଥିଲେ।ଏହି ସମୟରେ ଦଲାଲ ଜଣକ ମା ପୁଅଙ୍କୁ ଭେଟି ସେ ବନ୍ତଳା ଅଞ୍ଚଳର ଲୋକ ସୁବିଧାରେ ରକ୍ତ କରାଇଦେବ ବୋଲି କହିଥିଲା। ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ବ୍ଲଡ଼ ସାମ୍ପୂଲ୍ କୁ ନିଜେ ନେଇ ବ୍ଲଡ଼ ବ୍ୟାଙ୍କ୍ କୁ ଯାଇଥିଲା।ଏହାପରେ ଦଲାଲ ଜଣକ କିଛି ଔଷଧ କିଣିବା ପାଇଁ ୧୫ଶହ ଟଙ୍କା ପ୍ରକାଶଙ୍କ ଠାରୁ ନେଇ ଦଶ ମିନିଟ ଭିତରେ ଫେରାଇ ଦେଉଚି ବୋଲି କହିଥିଲା। ଏହାପରେ ପଇସା ନେଇ ଠକ ସେଠାରୁ ଚମ୍ପଟ ମାରିଥିଲା।ଘଣ୍ଟାଏ ଅପେକ୍ଷା ପରେ ମା ପୁଅ ଠକାମୀରେ ପଡ଼ିଥିବା ଜାଣିପାରିଥିଲେ ।