ତାଳଚେର: ପବିତ୍ର କାର୍ତ୍ତିକ ପଞ୍ଚୁକ ପାଳନ ଅବସରରେ ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ଅନୁଷ୍ଠିତ ପାଞ୍ଚ ଦିନ ବ୍ୟାପୀ ୪୦ତମ ବିଶ୍ୱଶାନ୍ତି ଚଣ୍ଡୀ ମହାଯଜ୍ଞ ବୁଧବାର ଦିନ ସମାପନ ହୋଇଯାଇଛି।
ରାଜଗୁରୁ ପଙ୍କଜ ଲୋଚନ ପତିଙ୍କ ପୌରୋହିତ୍ୟରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ, ବନବିହାରୀ ଦାସ, ସୁଭାଷ ଚନ୍ଦ୍ର ନନ୍ଦ, ଚନ୍ଦ୍ରଶେଖର ମହାପାତ୍ର, ସୁଗ୍ରୀବ କର, ଅଶ୍ୱିନ କୁମାର ମିଶ୍ର, ହୃଦୟ ଶତପଥୀ, ପବିତ୍ର ମୋହନ ନାଥ, ସନ୍ଦେଶ ପାଣିଗ୍ରାହୀ, ସ୍ମୃତିରଞ୍ଜନ ଦାଶ ପ୍ରମୁଖ ଯଜ୍ଞ କାର୍ଯ୍ୟ ପରିଚାଳନା କରିଥିଲେ।
ଯଜ୍ଞକର୍ତ୍ତା ଭାବରେ ଲଲାତେନ୍ଦୁ ଗଡ଼ନାୟକ ଓ ତାଙ୍କ ଧର୍ମପତ୍ନୀ ଶର୍ମିଷ୍ଠା ଦାସ, ଲକ୍ଷ୍ମୀକାନ୍ତ ସାମଲ ଓ ତାଙ୍କ ଧର୍ମପତ୍ନୀ ସୁକନ୍ୟା ଖଣ୍ଡୁଆଳ, ସାହେବ ଗଡ଼ନାୟକ ଓ ତାଙ୍କ ଧର୍ମପତ୍ନୀ ପ୍ରଭାତୀ ଗଡ଼ନାୟକ, କରୁଣାକର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ଭଞ୍ଜ, ତପନ କୁମାର ଗଡ଼ନାୟକ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ।
ସମାପନୀ ଦିବସ ବୁଧବାରରେ ଚଣ୍ଡୀ ପୂଜା, ସପ୍ତସତୀ ମହାଚଣ୍ଡୀ ଯଜ୍ଞ ଏବଂ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ସମାପନ ହୋଇଥିଲା। ଏହି ଅବସରରେ ତାଳଚେର ଉପଜିଲ୍ଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ଼ର ମ୍ୟାନେଜିଂ ଟ୍ରଷ୍ଟି ସମୀର କୁମାର ଜେନା, ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନ, ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଏସ୍.ଭି.ଯୋଷୀ, ହିଙ୍ଗୁଳା କୋଇଲା ଖଣିର ପ୍ରକଳ୍ପ ଅଧିକାରୀ ପଦ୍ମନାଭ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ମହାଚଣ୍ଡୀ ଯଜ୍ଞର ଅନ୍ତିମ ଦିନରେ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ଏବଂ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ମା’ ହିଙ୍ଗୁଳାଙ୍କ ଅନ୍ନପ୍ରସାଦ ମାଗଣାରେ ବିତରଣ କରାଯାଇଥିଲା। ଟ୍ରଷ୍ଟ ବୋର୍ଡ଼ର ବରିଷ୍ଠ ସଦସ୍ୟମାନେ ଓ ଗୋପାଳପ୍ରସାଦ ଗ୍ରାମବାସୀ ଯଜ୍ଞ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।