ମୁଖ୍ୟ ଖବର

୨୯ରେ ମୁହାଁମୁହିଁ ହେବେ ବିଜେଡି ଓ ବିଜେପି: ଏକା ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଆସୁଛନ୍ତି ନବୀନ ଓ ୩ କେନ୍ଦ୍ର ମନ୍ତ୍ରୀ

By Angul TV Bureau

December 27, 2022

ଅନୁଗୁଳ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳ ନିଜ ନିଜ ଭିତରେ ପ୍ରତିଯୋଗିତା କରିବା ଆରମ୍ଭ କରିଦେଲେଣି। ଏଥରକ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ତେବେ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି। ଅନ୍ୟପଟେ ଠିକ୍‌ ସେହିଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ ଜଣ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଆସିବା କାର୍ଯ୍ୟକ୍ରମ ରହିଛି। ଗୋଟିଏ ଦିନରେ ଦୁଇ ପ୍ରମୁଖ ଦଳର ହେଭିୱେଟ୍‌ ଅନୁଗୁଳ ଆସୁଥିବାରୁ ଉଭୟ ଦଳ ଶକ୍ତି ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି।

ସୂଚନା ମୁତାବକ, ୨୯ ତାରିଖ‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଷ୍ଟାଡିୟମରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଠାରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏଥିସହ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବେ। ପରେ ସେ ଅନୁଗୁଳ ରେଳ ଷ୍ଟେସନ୍‌ରେ ରେଳ ବିଭାଗର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ବିଜେଡି‌ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

ଅନ୍ୟପଟେ ଏହି ଦିନ ୩ ଜଣ କେନ୍ଦ୍ରମନ୍ତ୍ରୀ ଜିଲ୍ଲାକୁ ଆସୁଛନ୍ତି। ଆସନ୍ତା ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ‌କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସୁଛନ୍ତି। ସେମାନେ ଅନୁଗୁଳରେ ରେଳ ଲାଇନ୍‌ର ଲୋକାର୍ପଣ, ନୂତନ ଟ୍ରେନ୍‌କୁ ପତାକା ଦେଖାଇବା ସହିତ ରାଣୀଗୋଡ଼ା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜାରେ ଯୋଗ ଦେବେ। ଏମାନଙ୍କୁ ସ୍ୱାଗତ କରିବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

ତେବେ ସରକାରୀ କାର୍ଯ୍ୟକ୍ରମ ବାହାନାରେ ଏହା ଦୁଇ ଦଳ ଭିତରେ ଶକ୍ତି ପ୍ରଦର୍ଶନ ହେବ ବୋଲି କୁହାଯାଉଛି। ତେଣୁ ସମସ୍ତେ ନିଜ ନିଜ ସ୍ତରରେ ପ୍ରସ୍ତୁତ ହେଉଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ମାଧ୍ୟମରେ ବିଜେଡି ଓ ବିଜେପି ଲୋକଙ୍କ ଧ୍ୟାନ ଆକର୍ଷଣ କରିବେ ବୋଲି ଆଲୋଚନା ହେଉଛି।