ମୁଖ୍ୟ ଖବର

ଅନୁଗୁଳରେ ପ୍ରଣବଙ୍କ ପ୍ରଚାର ଆରମ୍ଭ: ଧର୍ମେନ୍ଦ୍ରଙ୍କୁ ପରୋକ୍ଷରେ ଟାର୍ଗେଟ କରିବା ସହ ଯୋଡ଼ିଶଙ୍ଖରେ ଭୋଟ ଦେବାକୁ କଲେ ନିବେଦନ

By Biswaranjan Pattnaik

April 24, 2024

ଅନୁଗୁଳ : ଅନୁଗୁଳରେ ପ୍ରଚାର ପାଇଁ ପହଞ୍ଚିଛନ୍ତି ସମ୍ବଲପୁର ସାଂସଦ ପ୍ର‌ାର୍ଥୀ ତଥା ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏ ଅବସରରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରିବା ସହ ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ।

ଆଜି ସକାଳେ ପ୍ରଥମେ ଶ୍ରୀ ଦାସ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ହିଙ୍ଗୁଳା ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ସେ ଛେଣ୍ଡିପଦାରେ ପହଞ୍ଚିଥିଲେ। ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପରେ ସମ୍ମୁଖରେ ଥିବା ପଡ଼ିଆରେ ଜନସାଧ‌ାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ କହିଥିଲେ ଯେ, ଗତ ଥର ଲୋକମାନେ ବିଜେପି ସାଂସଦଙ୍କୁ ଜିତାଇଥି‌ଲେ ବି ସମ୍ବଲପୁର ସାଂସଦଙ୍କୁ ଦେଖିବାକୁ ପାଇନାହାନ୍ତି। ବିଜେପି ସାଂସଦମାନେ ଓଡ଼ିଶାର ସ୍ବର ଉଠାଇ ନାହାନ୍ତି। ଏପଟେ ଏହି ଜିଲ୍ଲାରୁ ଜଣେ ନେତା କେନ୍ଦ୍ରମନ୍ତ୍ରୀ ହୋଇଥିବା ବେଳେ ଜିଲ୍ଲାବାସୀ ୫୫ ନମ୍ବର ଜାତୀୟ ରାଜପଥରେ ନିତି ମରୁଛନ୍ତି। କେନ୍ଦ୍ର ସରକାର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ। କିନ୍ତୁ ନବୀନ ସରକାର ପାଇଁ ଓଡ଼ିଶା ଓ ଓଡ଼ିଶାବାସୀ ମୁଖ୍ୟ। ଏଣୁ ଲୋକମାନେ କାହା ସପକ୍ଷରେ ଯିବେ ନିଜ‌େ ନିଷ୍ପତ୍ତି ନେବାର ସମୟ ଆସିଛି। ମୁଖ୍ୟମନ୍ତ୍ରୀ କହିଥିବା ଯୋଡ଼ି ଶଙ୍ଖ ଅନୁସାରେ ‌ଲୋକେ ଏଥର ବିଜେଡିକୁ ଆଶୀର୍ବାଦ କରିବେ। ଓଡ଼ିଶାକୁ ୧ ନମ୍ବର କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନକୁ ସାକାର ପାଇଁ ଲୋକେ ବିଜେଡିକୁ ବାଛିବେ ବୋଲି ପ୍ରଣବ କହିଥିଲେ।

ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଅଗ୍ରୱାଲ, ବିଜେଡି ନେତା ଭାଗୀରଥି ନେପୁ ଦାସ, ସହ ପର୍ଯ୍ୟବେକ୍ଷକ ରୋଶନା ସାହୁ, ବ୍ଲକ୍‌ ବିଜେଡି ସଭାପତି ଶରତ ଚନ୍ଦ୍ର ଗଡ଼ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଉପାଧ୍ୟକ୍ଷା ଝରଣା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଭାନୁପ୍ରିୟା ପ୍ରଧାନ, ସତ୍ୟବ୍ରତ ଦେହୁରୀ, ନଗେନ ପ୍ରଧାନ, ତୃପ୍ତିମଂଜରୀ ସାହୁଙ୍କ ସମେତ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ପ୍ରାୟ ୧୫ ହଜାର କର୍ମୀ ଉପସ୍ଥିତ ଥିଲେ।

ସେହିପରି ମା’ ହିଙ୍ଗୁଳାଙ୍କ ଦର୍ଶନ ସମୟରେ ତାଙ୍କ ସହିତ ବିଜେଡିର ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା‌ରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଅନିମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।