ମୁଖ୍ୟ ଖବର

ବିଜେଡି ନେତା ତଥା ବ୍ୟବସାୟୀଙ୍କୁ ଟାଙ୍ଗିଆରେ ହାଣି ଦେଲେ

By Biswaranjan Pattnaik

May 03, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ବଳରାମ ପ୍ରସାଦ ଗାଁରେ ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳକୁ ଏକ ନୃଶଂସ ହତ୍ୟାକାଣ୍ଡ ଘଟି ଯାଇଚି। ଗାଁର ବରିଷ୍ଠ ବିଜେଡି ନେତା ତଥା ଠିକାଦାର ଶିବରାମ ସାହୁଙ୍କୁ ଜନୈକ ଦୁର୍ବୁତ୍ତ ଟାଙ୍ଗିଆରେ ହାଣି ହତ୍ୟା କରିଚି।

ଶିବରାମ (୬୨) ପ୍ରତିଦିନ ଭଳି ଗାଧୋଇ ସୂର୍ଯ୍ୟପୂଜା କରିବା ପାଇଁ ଘର ବାଡ଼ିରେ ତୁଳସୀ ପତ୍ର ତୋଳୁ ଥିବା ବେଳେ କଇଁଫୁଲିଆ ସାହିର ଦୀପକ ନାମକ ଜଣେ ବ୍ୟକ୍ତି ପଛରୁ ହଠାତ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ବେକ ମୂଳକୁ ଦୁଇ ତିନି ଚୋଟ ପକାଇବା ଦ୍ୱାରା ଶିବ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦଉଡି ଆସିଥିଲେ।ସେମାନେ ଦୀପକକୁ ଦଉଡି ପଳାଇବାର ଦେଖିଥିଲେ। ଘଟଣା ବିଜୁଳି ବେଗରେ ପ୍ରଘଟ ହେବା ପରେ ଶହ ଶହ ଲୋକ ଉତ୍ତେଜିତ ହୋଇ ଥାନା ଆଗରେ ହୋ ହାଲ୍କା କରିଥିଲେ।

ଶିବରାମ ଦୁଇ ଦୁଇ ଥର ସରପଞ୍ଚ ଓ ଥରେ ସମିତି ସଭ୍ୟ ହୋଇଥିଲେ। ବିଜେଡିର ଜଣେ ଟାଣୁଆ ନେତା ଭାବେ ସେ ପରିଚିତ ଥିଲେ। କିନ୍ତୁ ଗତପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ। ତେବେ ଦୀପକ କାହିଁକି ତାଙ୍କୁ ହାଣିଲା ସେ କଥା ସ୍ପଷ୍ଟ ହୋଇ ପାରିନାହିଁ। ପୋଲିସ ଦୀପକକୁ ଅଟକ ରଖି ପଚରା ଉଚରା କରୁଛି। ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଡାକ୍ତରଖାନା ପଠାଇଛି।