ମୁଖ୍ୟ ଖବର

ଅନୁଗୁଳ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ନେତା

By Biswaranjan Pattnaik

November 20, 2024

ଅନୁଗୁଳ: ଅନୁଗୁଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶେଷରେ ବିଜେଡି ନେତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାକୁ ପଡ଼ିଛି। ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ତଥା ବିଜେଡିର ଜଣେ ଟାଣୁଆ ନେତା ଶକ୍ତି ପଟ୍ଟନାୟକ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଛନ୍ତି।

୨୦ ବର୍ଷରୁ ଅଧିକ ସମୟ ଧରି ବିଜେଡି ସରକାର ରାଜ୍ କରିବା ସତ୍ତ୍ୱେ ଜିଲ୍ଲାର ବିକାଶ ଆଶା ଅନୁରୂପ ନ ହେବାରୁ ସେ ସମ୍ଭବତଃ ବାଧ୍ୟ ହୋଇ ବିଜେପି ସରକାରଙ୍କୁ ନିବେଦନ କରିଛନ୍ତି। ଦେଉଳଝରୀ ଉଷ୍ଣ ପ୍ରଶ୍ରବଣ ଓ ଡେରଜାଙ୍ଗ ଜଳଭଣ୍ଡାର ଚତୁର୍ପାଶ୍ୱର ଉନ୍ନତି ନ ହେବାରୁ ପର୍ଯ୍ୟଟନ ଜିଲ୍ଲାରେ ଧିମାଇଛି। ଖାଓ ଗଳିକୁ ଚ୍ୟାଲେଞ୍ଜ ଦେଇ ସେ କହିଛନ୍ତି କି ଏକଦା ଏହା ଜଗନ୍ନାଥ ବାଟିକା ପାଇଁ ଉଦ୍ଦିଷ୍ଟ ଥିଲା। ଏବେ ସେଠି ଫାଷ୍ଟଫୁଡ୍ ବିକ୍ରି ହେଉଛି। ଟାମଡ଼ାର ୨୦୧୬-୧୭ ପ୍ଲାନିଂ ମିଟିଂରେ ଅନୁଗୁଳରେ ଏକ ବିମାନ ବନ୍ଦର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ କେହି ଏ ଦିଗରେ ପଦକ୍ଷେପ ନେଇ ନାହାନ୍ତି।

ଅନୁଗୁଳରେ ମେଳା ମହୋତ୍ସବ ପାଇଁ ପଡିଆ ନାହିଁ ତେଣୁ ଲୋକେ ବାଧ୍ୟ ହୋଇ ଜାତୀୟ ରାଜପଥ ଜାମ କରି ପୂଜା ପର୍ବ ପାଳୁଛନ୍ତି। ରାଜା ଛକ ଠାରୁ ହରିମହୁରୀ ଛକ ଯାଏଁ ୧୧ କେଭି ତାର ଖୁଣ୍ଟରେ ଟଣା ହୋଇଥିବାରୁ ଦୁର୍ଘଟଣାର ଆଶଙ୍କା ବଢ଼ାଇଛି। ଏହାକୁ ଭୂତଳରେ ନେବା ପାଇଁ ବାରମ୍ବାର କୁହାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନାହାନ୍ତି।ତେଣୁ ଏହି ସବୁ ସମସ୍ୟାର ସମସ୍ୟାର ସମାଧାନ ପାଇଁ ଶ୍ରୀ ପଟ୍ଟନାୟକ ଏକ ଲିଖିତ ସ୍ମାରକ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ପ୍ରଦାନ କରିଛନ୍ତି।

ତେବେ ସମୟ କହିବ ଅନୁଗୁଳର ଉନ୍ନତି ପାଇଁ ବିଜେଡି ପଛେଇବା ପରେ ବିଜେପି ନେତା ଶକ୍ତି ବାବୁଙ୍କୁ କେତେ ସମର୍ଥନ କରୁଛନ୍ତି।