ଅନୁଗୁଳ: ଅନୁଗୁଳ ସଦର ମହକୁମା ସ୍ଥିତ ଜିଲ୍ଲା ସଭାଘର ପରିସରରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଉପସ୍ଥିତ ବ୍ୟକ୍ତିଙ୍କୁ ଗୁରୁ ମନ୍ତ୍ର ଓ ପ୍ରଶିକ୍ଷଣ ଦେଇଥିଲେ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ଧାରା ଶୀର୍ଷ ସ୍ତରରେ ପହଞ୍ଚି ପାରିଛି। ଏଥି ସହ କରୋନା ମହାମାରୀ ସମୟରେ ଅନୁଗୁଳ ଜିଲ୍ଲା ସମଗ୍ର ଦେଶକୁ ଅମ୍ଳଜାନ ପଠାଇବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନ ହେଉଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଏବଂ ଏଥିପାଇଁ ଦଳ ପାଇଁ ସଙ୍ଗଠନ ସଦୃଢ଼ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ସ୍ୱାର୍ଥ ତ୍ୟାଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।
ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନା ବିହାରୀ ଦାସ, ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ବରିଷ୍ଠ ବିଜେଡି ନେତା ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ, କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ, ବିଜୁ ମହିଳା ଜନତା ଦଳର ସଭାପତି ବିଦ୍ୟୁତଲତା ପ୍ରଧାନ,ବିଜୁ ଛାତ୍ର ଜନତା ଦଳର ସଭାପତି ରାଜୀବ ଲୋଚନ ଦାସ, ବିଜୁ ଯୁବ ଜନତା ଦଳର ସଭାପତି ଦିନେଶ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷା, ରାଜ୍ୟ ଯୁବ-ଛାତ୍ର-ମହିଳା ଜନତା ଦଳର ସଦସ୍ୟ ଓ ବିଶିଷ୍ଟ ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିଲେ।