ଅନୁଗୋଳ: ଚାରିଦଫା ଦାବି ପୂରଣ ନିମନ୍ତେ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ପଞ୍ଚାୟତର ଆମ୍ବପାଳ ରେଳ ଫାଟକଠାରେ ବିଜେଡି ପକ୍ଷରୁ ଶନିବାର ତିନି ଘଣ୍ଟିଆ ଅର୍ଥନୈତିକ ଅବରୋଧ ଓ ରେଳରୋକ କରାଯାଇଛି। ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିଥିଲା।
ଏହାଦ୍ୱାରା ୫୩ ନମ୍ବର ଜାତୀୟ ରାଜପଥରେ ଭାରିଯାନ ଚଳାଚଳ ସହ ଏନ୍ଟିପିସିକୁ ରେଳପଥରେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା। ଆନ୍ଦୋଳନକାରୀମାନେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପ୍ରତ୍ୟାହାର, କଣିହାଁ-ଗୋଡ଼ିବନ୍ଧ ରାସ୍ତା ମରାମତି ସହ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ଏବଂ ଭାରିଯାନର ବେଗ ଘଣ୍ଟାପ୍ରତି ୨୦ କିଲୋମିଟର ମଧ୍ୟରେ ସୀମିତ ରଖିବାକୁ ଦାବି କରିଥିଲେ। ଏଥିରେ ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।