ଅନୁଗୁଳ: ରନ୍ଧନ ଗ୍ୟାସ୍ର ଦରବୃଦ୍ଧି ସିଧାସଳଖ ହାଣ୍ଡିଶାଳରେ ଚଡ଼କ ପକାଇଛି। ଏହାର ପ୍ରତିବାଦରେ ସୋମବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି। ୨୪ ତାରିଖ ପର୍ଯ୍ୟନ୍ତ ରାଜସ୍ୱ ଆୟୁକ୍ତ (ଆର୍ଡିସି) କାର୍ଯ୍ୟାଳୟ ସହ ବ୍ଲକ୍ସ୍ତରରେ ବିଜେଡି ଛାତ୍ର, ଯୁବ ଓ ମହିଳା ସଙ୍ଗଠନ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ସଭା କରାଯିବ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୁବ ବିଜେଡିର ରାଜ୍ୟ ସଭାପତି ବିଧାୟକ ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ବଢ଼ାଉଥିବାରୁ ମହିଳାମାନେ ପୁନର୍ବାର କାଠ ଚୁଲିରେ ରୋଷେଇ କରିବାକୁ ବାଧ୍ୟ ହେଲେଣି । ଆଗାମୀ ଦିନରେ ଦଳ ପକ୍ଷରୁ ରନ୍ଧନ ଗ୍ୟାସର ଦର ବୃଦ୍ଧି ବିରୋଧରେ ବ୍ୟାପକ ଭାବେ ଆନ୍ଦୋଳନ କରାଯିବ । କେନ୍ଦ୍ର ସରକାର ଦର ନ କମାଇବା ପର୍ଯ୍ୟନ୍ତ ଏହା ଜାରି ରହିବ । ସବୁ ଆର୍ଡିସି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଦାବିପତ୍ର ଦିଆଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ରନ୍ଧନ ଗ୍ୟାସ୍ ଦର ନ କମିବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଉଭୟ ଛାତ୍ର ଓ ଯୁବନେତା ଚେତାବନୀ ଦେଇଛନ୍ତି ।