ଅନ୍ୟାନ୍ୟ

ବିଜେପିର “ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଅ” ଜିଲ୍ଲା ସ୍ତରୀୟ କର୍ମଶାଳା

By Angul TV Bureau

October 28, 2026

ଅନୁଗୋଳ: ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର “ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଅ” ଶୀର୍ଷକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସମଗ୍ର ଦେଶରେ ବିଜେପି ପକ୍ଷରୁ ଏହି କର୍ମଶାଳା ଆୟୋଜିତ ହେଉଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ଉପ-ସଭାପତି ଡ. ଯତୀନ ମହାନ୍ତି ଯୋଗଦେଇ କହିଥିଲେ ଯେ, ଦେଶକୁ ଦୁର୍ବଳ କରିବା ପାଇଁ ବିରୋଧୀ ଦଳ ସାମ୍ବିଧାନିକ ଅଧିକାର ନାମରେ ଅରାଜକତା ସୃଷ୍ଟି କରୁଛନ୍ତି।

ବିରୋଧୀଙ୍କ ଏପରି ମାନସିକତାକୁ ପ୍ରତିହତ କରିବା ପାଇଁ ବିଜେପି ଯୁବ ଓ ଜନ ଶକ୍ତି ନିକଟକୁ ଯାଇ ପ୍ରକୃତ ସତ୍ୟତା ବୁଝାଇବ ବୋଲି ସେ କହିଥିଲେ। ଆଗାମୀ ଦିନରେ ଜିଲ୍ଲା ଓ ବିଧାନସଭା ସ୍ତରରେ ସାମ୍ବାଦିକ ସମ୍ମିଳନୀ, ପଦଯାତ୍ରା, ରାଷ୍ଟ୍ର ଚିନ୍ତନ ବୁଦ୍ଧିଜୀବୀ ସମ୍ମିଳନୀ, ଗଣତନ୍ତ୍ର ବନାମ ଭିଡ଼ତନ୍ତ୍ର ଯୁବ ସମ୍ବାଦ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା, ପ୍ରମୁଖ ନାଗରିକ ସମ୍ପର୍କ ଓ ସାମାଜିକ ଗଣମାଧ୍ୟମରେ ଅରାଜକତା ବିରୁଦ୍ଧରେ କାର୍ଯ୍ୟକ୍ରମ କରାଯିବ ବୋଲି ଡ. ମହାନ୍ତି ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ।

ଏହି କର୍ମଶାଳାରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗ ଦେଇ କଂଗ୍ରେସ ସମେତ ଇଣ୍ଡି ମେଣ୍ଟ ଭାରତକୁ ଅସ୍ଥିରତା ଆଡକୁ ନେବାକୁ ଷଡଯନ୍ତ୍ର କରୁଛି ଏବଂ ସେମାନଙ୍କ ଅସଲ ମୁଖା ଖୋଲିବା ପାଇଁ ବିଜେପି ଅଭିଯାନକୁ ତୀବ୍ର କରିବ ବୋଲି କହିଥିଲେ। କର୍ମଶାଳାରେ ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ, ଜିଲ୍ଲା ସାଧାରଣ ସମ୍ପାଦିକା ବସନ୍ତ ମଞ୍ଜରୀ ପ୍ରଧାନ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ସମେତ ଜିଲ୍ଲା ଓ ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ସଭାପତି, ବିଧାନସଭା ସଂଯୋଜକ, ମଣ୍ଡଳ ସଭାପତି ଓ ଆଗାମୀ କାର୍ଯ୍ୟକ୍ରମର ସଂଯୋଜକ ଉପସ୍ଥିତ ଥିଲେ।