ମୁଖ୍ୟ ଖବର

ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି: ଅନୁଗୁଳରେ ସମୀକ୍ଷା କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

By Angul TV Bureau

June 12, 2025

ଅନୁଗୁଳ: ଅନୁଗୁଳ ଗସ୍ତରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ ବୁଧବାର ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସରକାରଙ୍କ ଏକ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଅନୁଷ୍ଠିତ ହେଉଥ‌ିବା ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ବୈଠକରେ ଅନୁଗୁଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁଦୀପ ଗଡ଼ନାୟକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ମହନ୍ତ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିକାଶ ମେଳାରେ ହେବାକୁ ଥ‌ିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରସ୍ତୁତି ବିଷୟରେ ଅବଗତ କରିଥିଲେ। ଚଳିତ ମାସ ୧୨ ତାରିଖରୁ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଏହି ବିକାଶ ମେଳା ଅନୁଷ୍ଠିତ ହେବ। ମେଳାରେ ଓରମାସ ତରଫରୁ ୨୫ ଗୋଟି ଓ ମିଶନ ଶକ୍ତି ତରଫରୁ ୨୫ ଗୋଟି ଷ୍ଟଲ କରାଯିବ।

ଏଥିସହ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ଲୋକକଳା ସନ୍ଧ୍ୟା, କବିତା ଆସର, ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ, ବିକଶିତ ଜିଲ୍ଲା ବିକଶିତ ଓଡିଶା ଉପରେ କର୍ମଶାଳା, କୃଷକ ସମାବେଶ, କ୍ରୀଡ଼ା ପ୍ରତିଯୋଗିତା, ରକ୍ତଦାନ ଶିବିର, ଶ୍ରମଦାନ ଦିବସ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ କହିଥିଲେ।