ମୁଖ୍ୟ ଖବର

ବିଜେପିର ଲୋକସଭା ପ୍ରବାସ ଯୋଜନା ବୈଠକରେ ମୋଦି ସରକାରଙ୍କୁ ପ୍ରଶଂସା କଲେ ରାଜ୍ୟ ସହ-ପ୍ରଭାରୀ ତୋମାର

By Angul TV Bureau

February 11, 2023

ଅନୁଗୁଳ : ବିଜେପିର ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସହ ପ୍ରଭାରୀ ତଥା ରାଜ୍ୟ ସଭା ସାଂସଦ ବିଜୟପାଲ ସିଂ ତୋମାର ଯୋଗଦେଇ ଚଳିତ ବର୍ଷର ବଜେଟ ସ୍ୱାଧୀନ ଭାରତର ଅଦ୍ୟାବଧି ସବୁଠୁ ଉତ୍କୃଷ୍ଟ ବଜେଟ ବୋଲି ଅଭିହିତ କରିଛନ୍ତି। ବଜେଟରେ ମୋଦି ସରକାର ସବୁ କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି। ଏଥିରେ କୃଷକ, ଛାତ୍ର, ଯୁବକ, ମହିଳା, ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି। ଅନ୍ୟତମ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଯୋଗଦେଇ ସାଙ୍ଗଠନିକ ସମୀକ୍ଷା ଓ ଆଲୋଚନା କରିଛନ୍ତି। ଭାରତୀୟ ଜନତା ପାର୍ଟି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି। ଆଜି ଦୀନ ଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଦୀନ ଦୟାଲଙ୍କ ଜୀବନୀ ଏବଂ ଆଦର୍ଶରେ କିପରି ନରେନ୍ଦ୍ର ମୋଦି ଅନୁପ୍ରାଣିତ ହୋଇଛନ୍ତି, ତାହା ପ୍ରକାଶ କରିଥିଲେ। ଅନ୍ୟମାନବିକା ମଧ୍ୟରେ ରାଜ୍ୟ ସମ୍ପାଦକ ତଥା ଲୋକସଭା ପ୍ରଭାରୀ ସୀମାଞ୍ଚଳ ଖଟେଇ, କାଳନ୍ଦୀ ସାମଲ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା, ପ୍ରବାସ ଯୋଜନା ରାଜ୍ୟ ସହ ସଂଯୋଜକ ଧିରେନ ସେନାପତି, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନ, ଭାଗୀରଥୀ ପ୍ରଧାନ, ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ପ୍ରତିମା ମିଶ୍ରଙ୍କ ସମେତ ଉଭୟ ଜିଲ୍ଲାର ଶତାଧିକ ଦଳର ପଦାଧିକାରୀ ଉପସ୍ଥିତ ଥିଲେ।