ମୁଖ୍ୟ ଖବର

ବିଜୁ ବାବୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ: ଅନୁଗୁଳରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ

By Angul TV Bureau

April 01, 2026

ଅନୁଗୁଳ: ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଅନୁଗୁଳ ପୌରପାଳିକା ରାଜା ଛକ ଠାରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସାଂସଦଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସାଂସଦଙ୍କ ଏଭଳି ମନ୍ତବ୍ୟ କେବଳ ବିଜୁ ବାବୁଙ୍କ ପ୍ରତି ନୁହେଁ, ବରଂ ସମଗ୍ର ଓଡ଼ିଆ ଜାତି ଓ ଓଡ଼ିଆ ଅସ୍ମିତା ପ୍ରତି ଏକ ବଡ଼ ଅପମାନ ବୋଲି ଦଳ ପକ୍ଷରୁ କୁହାଯାଇଛି। ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଅଧାପନ୍ତରିଆ ତଥ୍ୟ ଆଧାରରେ ଏକ ମିଥ୍ୟା ନ୍ୟାରେଟିଭ୍‌ ପ୍ରସ୍ତୁତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।

ଏହି ଅବସରରେ ବିକ୍ଷୋଭକାରୀମାନେ ବିଜେପି ସାଂସଦଙ୍କ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଏଥିସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ନେତୃବୃନ୍ଦ ଏହି ବିବାଦୀୟ ବକ୍ତବ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ପାଇଁ ଆହ୍ୱାନ ଦିଆଯାଇଛି। ଯଦି ରାଜ୍ୟ ବିଜେପି ଏଥିରେ ନିରବ ରହେ, ତେବେ ଓଡ଼ିଶାର ସାଢ଼େ ୪ କୋଟି ଜନତା ବୁଝିବେ ଯେ ରାଜ୍ୟ ନେତାମାନେ କେବଳ କେନ୍ଦ୍ରୀୟ ନେତୃତ୍ୱଙ୍କ ବୋଲକରା ସାଜିଛନ୍ତି। ଯୁବ ବିଜେଡି ନେତା ଅରୁଣାଭ ସିଂହଙ୍କ ତତ୍ୱାବଧାନ ଓ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ନଗର ମହିଳା ସଭାନେତ୍ରୀ ମାଳିନୀ ସର୍, ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳ ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ସଦାନନ୍ଦ ପଣ୍ଡା, ବଳରାମ ଜେନା, ରଞ୍ଜିତ୍ ମାଣ୍ଡୋଠିଆ, ସୁଶୀଲ ମୁଖୀଙ୍କ ସମେତ ଜିଲ୍ଲା ବିଜେଡି ଉପ ସଭାପତି ଧରଣୀଧର ସାହୁ, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶିବାନୀ ଶଙ୍କର ଗୌଡ଼, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ଜିଲ୍ଲା ସମ୍ପାଦକ ଅଜିତ୍ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ରହି ସାଂସଦଙ୍କ କାର୍ଯ୍ୟକଳାପକୁ ଦୃଢ଼ ସମାଲୋଚନା କରିଥିଲେ।