ମୁଖ୍ୟ ଖବର

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ: ଦଳକୁ ସଶକ୍ତ କରିବା ଲକ୍ଷ୍ୟ

By Angul TV Bureau

May 28, 2026

ଅନୁଗୁଳ: ଅନୁଗୁଳ ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦୁଇ ଦିନିଆ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬” ଆରମ୍ଭ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହାକୁ ଉଦ୍‌ଘାଟନ କରିଛନ୍ତି। ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି, “ଦଳ ଓ ସଂଗଠନକୁ ସଶକ୍ତ କରିବା ଆମ ମୂଳ ଉଦ୍ଦେଶ୍ୟ। ଶାସନ ଓ କ୍ଷମତା ହାସଲ ଏକମାତ୍ର ଲକ୍ଷ୍ୟ ନୁହେଁ। ସଂଘର୍ଷ ସହ ଆହ୍ୱାନର ସଫଳ ମୁକାବିଲା ପାଇଁ ଲମ୍ବା ସମୟର ସମର୍ପଣ ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ‘ରାଷ୍ଟ୍ର ସର୍ବୋପରି’ ମନୋଭାବ ନେଇ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ଲକ୍ଷ୍ୟରେ ସେ କାର୍ଯ୍ୟ କରୁଛନ୍ତି।” ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “ଆତଙ୍କବାଦ, ଅନୁପ୍ରବେଶ, ସୀମା ବିବାଦ ଭଳି ଆହ୍ୱାନକୁ ମୋଦିଜୀ ସଫଳତାର ସହ ମୁକାବିଲା କରୁଛନ୍ତି।”

ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର କହିଲେ, ବିଜେପି କାର୍ଯ୍ୟକର୍ତା ଆଧାରିତ ଦଳ। ସଂଘ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ। ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ ବୁଥ ସୁଦୃଢ଼ ଓ ସରକାରୀ ଯୋଜନା ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଅଶୋକ ମହାନ୍ତି ପ୍ରମୁଖଙ୍କ ସମେତ ୩୦ରୁ ଅଧିକ ବରିଷ୍ଠ କାର୍ଯ୍ୟକର୍ତା ଯୋଗ ଦେଇଥିଲେ। ଦୁଇ ଦିନିଆ ଏହି ପ୍ରଶିକ୍ଷଣ ବର୍ଗ ଆଜି ଓ ଆସନ୍ତାକାଲି ଚାଲିବ।